Categories: ରାଜ୍ୟ

ତାତିଲେ ରୁଙ୍ଗ୍‌ଟା କ୍ଷତିଗ୍ରସ୍ତ: କମ୍ପାନୀ ଫାଟକରେ ତାଲା ଠୁଙ୍କିଲେ

ଢେଙ୍କାନାଳ ଅଫିସ, ୨୪।୭-ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନ ହେବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରୁଙ୍ଗ୍‌ଟା କମ୍ପାନୀ ପ୍ରଭାବିତ ଝାଡ଼ବନ୍ଧ ଅଞ୍ଚଳର କ୍ଷତିଗ୍ରସ୍ତ ପ୍ରଜା। ୧୩ ଦଫା ଦାବି ନେଇ ସେମାନେ ମଙ୍ଗଳବାର କମ୍ପାନୀ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା।
ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଝାଡ଼ବନ୍ଧ ଅଞ୍ଚଳରେ ୨୦୦୭ରେ ରୁଙ୍ଗ୍‌ଟା କମ୍ପାନୀ ପ୍ରତିଷ୍ଠା ପାଇଁ ଶୁଭ ଦିଆଯାଇଥିଲା। ଆବଶ୍ୟକତା ଅନୁଯାୟୀ କାରଖାନା କର୍ତ୍ତୃପକ୍ଷ ସମ୍ପୃକ୍ତ ଅଞ୍ଚଳରେ ଜମି ଅଧିଗ୍ରହଣ କରିଥିଲେ। ଦୀର୍ଘଦିନ ପରେ ବି କମ୍ପାନୀ କାର୍ଯ୍ୟକ୍ଷମ ହେଲାନାହିଁ। ଦୀର୍ଘ ୧୧ବର୍ଷ ପରେ କମ୍ପାନୀ ପକ୍ଷରୁ ପୁନର୍ବାର ଭୂମିପୂଜା କରାଯିବା ସହ ଆଉ କିଛି ଜମି ଅଧିଗ୍ରହଣ କରାଯାଇଛି। କିନ୍ତୁ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ପ୍ରଜାକୁ ମୂଲ୍ୟ ପ୍ରଦାନ କରାଯାଉନାହିଁ। ଏହାକୁ ନେଇ ଜମିହରାମାନେ ପ୍ରତିବାଦ କରି ଆସୁଛନ୍ତି। ବାରମ୍ବାର ବୈଠକ ଏବଂ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେମାନଙ୍କୁ ନ୍ୟାୟ ମିଳୁନାହିଁ। ଆରପିଡିଏସି ବୈଠକ ଡକାଯାଉନାହିଁ। ସମସ୍ୟାର ସ୍ଥାୟୀ ସମାଧାନ କରିବା ପରିବର୍ତ୍ତେ କେବଳ ଆଲୋଚନାରେ ସୀମିତ ରହିଛି। ସବୁଆଡୁ ନିରାଶ ହେବାପରେ କ୍ଷତିଗ୍ରସ୍ତ ପ୍ରଜା ଆନ୍ଦୋଳନ ଆରମ୍ଭ କରିଛନ୍ତି। ସୂଚନା ପାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ।
ଏ ସଂକ୍ରାନ୍ତରେ ଉପଜିଲାପାଳ ଭବେଶ କୁମାର ନାୟକ କୁହନ୍ତି, ଗ୍ରାମବାସୀଙ୍କୁ ଡାକି ଆଲୋଚନା କରାଯାଇଛି। ସେମାନଙ୍କ ପ୍ରମୁଖ ଦାବି ହେଉଛି ଆରପିଡିଏସି ମିଟିଂ କରାଯାଉ। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଏ ନେଇ ଜିଲାପାଳ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କୁ ଜଣାଇଛନ୍ତି ା

Share