ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମପ୍ରବାହ ହ୍ରାସ ପାଇଛି। ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀଜନିତ ବର୍ଷା ଲାଗିରହିଛି। ଆସନ୍ତା ୭ ତାରିଖ ଯାଏ ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୂ ବିଳମ୍ବରେ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୬ ତାରିଖରେ ମୌସୁମୀ କେରଳ ଛୁଇଁବ। ଏହାର ୨ ସପ୍ତାହ ପରେ ଅର୍ଥାତ୍ ଜୁନ୍ ୧୫ରୁ ୧୮ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।