ତାତି: ପଶ୍ଚିମରେ କମିଲା, ଉପକୂଳରେ ବଢ଼ିଲା

ଭୁବନେଶ୍ୱର, ୩୦ା୫(ବ୍ୟୁରୋ): ଗତ କିଛିଦିନ ହେବ ଗରମରେ ଛଟପଟ ହେଉଥିବା ପଶ୍ଚିମ ଓଡ଼ିଶାବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଏଠାରେ ଲଗାତର ଭାବେ ତାପମାତ୍ରା ୪୨ରୁ ୪୫ଡିଗ୍ରୀ ମଧ୍ୟରେ ରହୁଥିଲା। କିନ୍ତୁ ବୁଧବାର ପଶ୍ଚିମ ଓଡ଼ିଶାର ସବୁ ସହରରେ ତାପମାତ୍ରା ହ୍ରାସ ପାଇଛି। ସମ୍ବଲପୁର, ସୋନପୁର ଆଦି ସହରର ତାପମାତ୍ରା ୪୦ଡିଗ୍ରୀ ତଳକୁ ଖସିଯାଇଛି। ସବୁଠୁ ଅଧିକ ତାପମାତ୍ରା ରହୁଥିବା ଟିଟିଲାଗଡ଼ ଓ ମାଲକାନଗିରିରେ ପାରଦ ୪୨.୫ ଡିଗ୍ରୀରେ ରହିଥିବାବେଳେ ୭ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ବଲାଙ୍ଗୀର ୪୧.୫, ଝାରସୁଗୁଡ଼ା ଓ ଭବାନୀପାଟଣା ୪୧, ଅନୁଗୋଳ ଓ ତାଳଚେରର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟପଟେ ଉପକୂଳ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଦ୍ୱେତ ନଗରୀ କଟକ ଓ ଭୁବନେଶ୍ୱରର ତାପମାତ୍ରା ୩୬/୩୭ ଡିଗ୍ରୀ ମଧ୍ୟରେ ରହୁଥିବାବେଳେ କ୍ରମଶଃ ବଢ଼ି ଚାଲିଛି। ବୁଧବାର ଭୁବନେଶ୍ୱରରେ ତାପମାତ୍ରା ୩୯.୧ ଡିଗ୍ରୀ ଓ କଟକରେ ୩୮.୫ ଡିଗ୍ରୀ ରେକର୍ଡ କରାଯାଇଛି।
ବୁଧବାର ରାଜ୍ୟର ବିଭିନ୍ନ ସହରରେ ବର୍ଷା ହୋଇଥିବା ସୂଚନା ମିଳିଛି। ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଗଞ୍ଜାମ, ବୌଦ୍ଧ, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଗୁରୁବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ବଲାଙ୍ଗୀର, ନୟାଗଡ଼, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ଅଞ୍ଚଳରେ ସ୍ବଳ୍ପ ପରିମାଣର ବର୍ଷା ହେବ। ରାଜ୍ୟର ବାକିସବୁ ସ୍ଥାନରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କିନ୍ତୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ ଓ ନୟାଗଡ଼ ଜିଲାରେ କାଳବୈଶାଖୀ ହେବ ବୋଲି କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏସବୁ ଜିଲାରେ ଝଡ଼ ତୋଫାନ ସହ ୩୦ରୁ ୪୦ କିଲୋମିଟିର ବେଗରେ ପବନ ବହିବା ସମ୍ଭାବନା ରହିଛି। ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Share