Categories: ଗଞ୍ଜାମ

ତାତି ବଢ଼ାଉଛି ବେଆଇନ ଇଟାଭାଟି

ପାଟପୁର,୨୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଶତାଧିକ ବେଆଇନ ଇଟାଭାଟି ପୋଡ଼ା ଚାଲିଛି। ସେଥିରୁ ନିର୍ଗତ ନିଆଁ ପ୍ରକୋପରେ ଅସ୍ବାଭାବିକ ଭାବେ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ଅଭିଯୋଗ ହୋଇଛି। ଫଳରେ ସାଧାରଣ ଜନ ଜୀବନ ପ୍ରଭାବିତ ହେଉଛି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଇଟାଭାଟି ନଆଁ ଝାସ ଓ ଧୂଆଁ ଅଞ୍ଚଳବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ରାଜସ୍ବ ବିଭାଗର କୌଣସି କଟକଣାକୁ ଖାତିର ନ କରି ଏହି ଅଞ୍ଚଳରେ ବେଆଇନ ଭାବେ ବ୍ୟବସାୟୀମାନେ ପୋଡ଼ା ଇଟାଭାଟି ଚଳାଇଥିବା ଅଭିଯୋଗ ହୋଇ ଆସୁଛି। ବିଦ୍ୟାଳୟ, ଜନବସତି ଓ ଦାତବ୍ୟ ଅନୁଷ୍ଠାନଠାରୁ ୧ କି.ମି. ଦୂରରେ ଇଟାଭାଟି କରିବା ନିୟମ ନ ଥିଲେ ମଧ୍ୟ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଭାଲିଆଝୋଳା, ଧର୍ମରାୟପୁର, ବିଶ୍ୱନାଥପୁର, କାଳଷଣ୍ଢପୁର, ଏରେଣ୍ଢ୍ରା, କଉଡ଼ିଆ, କଙ୍କୋରଡ଼ା, କରାଖଣ୍ଡି, ଗମ୍ଭାରୀଗୁଡ଼ା, ନିସ୍ତିପୁର, ଆଡ଼ପଡ଼ା, ଖଲିଙ୍ଗି, ଚକ୍ରପୁର, ଦାନଆମ୍ବଠା, ସାହସପୁର, ସୁମନ୍ତପୁର, ପଟିଗୁଡ଼ା, ପୋଡ଼ାମାରି, ବ୍ରାହ୍ମଣପଙ୍କ ଓ ଏସ୍‌. ଗୋପାଳପୁର ସମେତ ସାନଖେମୁଣ୍ଡି ତହସିଲର ୭ ରାଜସ୍ବ ସର୍କଲର ବହୁ ମୌଜାରେ ପୋଡ଼ା ଇଟାଭାଟି ଚାଲିଛି। ନଦୀ କୂଳରେ ଇଟାଭାଟି ପାଇଁ ନିର୍ଦ୍ଦେଶ ନ ଥିଲେ ମଧ୍ୟ ପ୍ରାୟ ଇଟାଭାଟି ନଦୀ କୂଳରେ ଚାଲିଛି। ପରିବେଶ ମଞ୍ଜୁରୀ ନ ଥାଇ ସାନଖେମୁଣ୍ଡି ତହସିଲ ଅଧୀନରେ ୯ଟି ଚିମିନି ଇଟା ଭାଟିକୁ ପ୍ରଶାସନ ପକ୍ଷରୁ ଏନଓସି ଦିଆଯାଇଥିବା କୁହାଯାଇଛି। କିନ୍ତୁ କେଉଁ ନିୟମ ଆଧାରରେ ଏନଓସି ଦିଆଯାଇଛି ତା’ର ଉତ୍ତର କାହାରି ପାଖରେ ନାହିଁ। ଅନୈତିକ ଭାବେ ଚାଲିଥିବା ବେଆଇନ ଇଟାଭାଟିକୁ ବନ୍ଦ କରିବା ପାଇଁ ତହସିଲ ପ୍ରଶାସନ ସାହାସ କରିପାରୁ ନ ଥିବା ଅଭିଯୋଗ ହେଉଛି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ଉପର ପୋଡ଼ା ଇଟାଭାଟି ସମ୍ପୂର୍ଣ୍ଣ ବେଆଇନ। ଏହାଦ୍ୱାରା ବାୟୁ ପ୍ରଦୂଷଣ, ଉର୍ବର ମୃତ୍ତିକା କ୍ଷୟ ସହ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରିଥାଏ। ଏ ସମ୍ପର୍କରେ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ କହିଛନ୍ତି, ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଚଢ଼ାଉ କରାଯାଇଛି। ଅଧିକ ବ୍ୟବସାୟୀଙ୍କୁ ନୋଟିସ ଜାରି କରିବା ସହ ଜରିମାନା ଆଦାୟ କରାଯାଇଛି।