ତାତି ବଢ଼ିଲେ କମୁଛି କରୋନା ସଂକ୍ରମଣ: ମହାରାଷ୍ଟ୍ରରେ ୮୫ ପ୍ରତିଶତ, କର୍ନାଟକରେ ୮୮ ପ୍ରତିଶତ ପାଇଛି ହ୍ରାସ

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ତେବେ ଏବେ ଦେଶରେ ଖରାଦିନ ଆସିଯାଇଥିବାରୁ ତାପମାତ୍ରା ବଢ଼ିବା ସହିତ କରୋନା ସଂକ୍ରମଣ ହାରାହାରି ୮୫ ପ୍ରତିଶତ କମୁଥିବା ପୁଣେର ନ୍ୟାଶନାଲ ଏନଭାର୍ନମେଣ୍ଟାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌(ନେରି) ପକ୍ଷରୁ କୁହାଯାଇଛି। ତାତି ବଢ଼ିବା ଯୋଗୁ ମହାରାଷ୍ଟ୍ରରେ ସଂକ୍ରମଣ ବ୍ୟାପିବାରେ ୮୫ ପ୍ରତିଶତ ହ୍ରାସ ହୋଇଛି। ସେହିପରି କର୍ନାଟକରେ ଏହା ୮୮ ପ୍ରତିଶତ ରହିଛି। ବାୟୁମଣ୍ଡଳର କ୍ରମବର୍ଦ୍ଧମାନ ତାପମାତ୍ରା ଏବଂ ଆଦ୍ରତା କରୋନା ସଂକ୍ରମଣ ହାରକୁ କମାଇଥିବା ଗବେଷକ ମତପୋଷଣ କରିଛନ୍ତି। ଏହା ସହିତ ସାମାଜିକ ଦୂରତା ବଜାୟ ରଖିବାଯୋଗୁ ମଧ୍ୟ ସୁଫଳ ମିଳିଥିବା କୁହାଯାଉଛି। କରୋନା ଭୂତାଣୁ ୨୧ରୁ ୨୩ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରା ମଧ୍ୟରେ କଠିନ ଭୂପୃଷ୍ଠରେ ୭୨ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିଥାଏ ବୋଲି ନେରି ପକ୍ଷରୁ କୁହାଯାଇଛି। ତେବେ ଭାରତର ଉଷ୍ଣ ବାୟୁମଣ୍ଡଳରେ କରୋନା ଅଧିକ କ୍ରିୟାଶୀଳ ହେବ କି ନାହିଁ ସେ ନେଇ ଅଧିକ ପରୀକ୍ଷା ଜାରି ରହିଥିବା ନେରି କହିଛି।

Share