ନୂଆଦିଲ୍ଲୀ, ୧୧।୬: ଦିଲ୍ଲୀରୁ ଝାନ୍ସୀ ଯାଉଥିବା କେରଳ ଏକ୍ସପ୍ରେସ୍ରେ ଅଭାବନୀୟ ଘଟଣା ଘଟିଛି। ପ୍ରବଳ ତାତି ସହି ନ ପାରି ଏଥିରେ ଯାତ୍ରା କରୁଥିବା ୪ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଗ୍ରାରୁ କୋଇମ୍ବାଟୁର ଯାଉଥିବା ୬୮ ଜଣିଆ ଏକ ଦଳରେ ମୃତ ଯାତ୍ରୀମାନେ ଯାତ୍ରା କରୁଥିଲେ। ୧୦ ଦିନ ତଳେ ଏହି ଦଳ ବାରାଣସୀ ଏବଂ ଆଗ୍ରା ବୁଲିବା ପାଇଁ ବାହାରିଥିବା କୁହାଯାଉଛି। ମୃତ ଯାତ୍ରୀଙ୍କ ମୃତଦେହକୁ ଝାନ୍ସୀଠାରେ ବାହାର କରାଯାଇଛି। ମୃତକଙ୍କ ମଧ୍ୟରୁ ୩ ଜଣ କୋନ୍ନୁର ଏବଂ ଜଣେ କୋଲମ୍ବାଟୁର ବାସିନ୍ଦା ରହିଛନ୍ତି। କୋଚ୍ ୮ ଏବଂ ୯ରେ ଯାତ୍ରୀମାନେ ଯାତ୍ରା କରୁଥିଲେ। ଖବର ପାଇ ଡାକ୍ତର ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍ କରିବାକୁ ଆସିଥିଲେ। ତେବେ ସେମାନଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ।