ଜଲିଉଡ୍ର ଆଗଧାଡିର ନିର୍ଦ୍ଦେଶକ ତାପସ ସ୍ବାଇଁ। ଚଳିତବର୍ଷ ତାଙ୍କ ନିର୍ଦ୍ଦେଶିତ ନାଟକ ‘ମୁଁ ସେହି ଭଦ୍ରକିଆ ଟୋକା (ରଙ୍ଗମହଲ) ଖଣ୍ଡଗିରି ଅପେରା ମେଳାରେ ବାଜିମାତ କରିଛି। ଅନ୍ୟପକ୍ଷରେ ଆସନ୍ତା ଯାତ୍ରା ସିଜନକୁ ନେଇ ଏବେଠାରୁ ଅଣ୍ଟା ଭିଡିଲେଣି ସେ। ଆସନ୍ତାବର୍ଷ ତାଙ୍କ ହାତରେ ୬ଟି ନାଟକ ରହିଛି। ତେଣୁ ସବୁ ନାଟକକୁ କିପରି ଦର୍ଶକାଦୃତ କରାଯାଇପାରିବ ସେ ନେଇ ନିଜକୁ କିପରି ପ୍ରସ୍ତୁତ କରିଛନ୍ତି ସେ ସମ୍ପର୍କରେ ତାପସ କହନ୍ତି, ‘ନାଟକର କାହାଣୀକୁ ମୁଁ ପ୍ରଥମେ ଭଲ ଭାବରେ ବିଶ୍ଳେଷଣ କରେ। ନିର୍ଦ୍ଦେଶନା ସମୟରେ ନାଟକର ପ୍ରତିଟି ବିଷୟକୁ ସରିୟସ୍ଲି ନେଇଥାଏ, ଯାହାଫଳରେ ମୋ ନାଟକରେ ସବୁବେଳେ ସ୍ପେଶାଲ ଚାର୍ମ ରହିଥାଏ। ଦର୍ଶକ ମୋ ନାଟକକୁ ଭଲ ରେସପନ୍ସ ଦେଉଛନ୍ତି ତାହା ମୋ ପାଇଁ ବଡ କଥା।’ ଆସନ୍ତାବର୍ଷ ପାଇଁ ତାପସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ନାଟକଗୁଡିକ ମଧ୍ୟରେ ରହିଛି-‘ଲୁହକୁ କହିଛି ରହିଯା ଟିକେ’ (ରଙ୍ଗମହଲ), ‘ଲାଗିଲାରେ ପ୍ରୀତି ରଙ୍ଗ ଲାଗିଲା’ (ସ୍ବର୍ଣ୍ଣମହଲ), ‘କୋଟିଏ ତାରାରେ ଗୋଟିଏ ଜହ୍ନ’ (ବିଶ୍ୱଦରବାର), ‘ରାଜା ଝିଅ ତମେ କ’ଣ କଲ’ (ତୁଳସୀ), ‘କଳଙ୍କ ମୋ ପାଇଁ ଚନ୍ଦନ ଟିକା’ (ଧଉଳି) ଏବଂ ‘ବାଟରେ କନିଆ ହାଟରେ ବର’ (ପାର୍ବତୀ)।