Categories: ଖେଳ

ତାମିମଙ୍କ ତ୍ରିଶତକ, ଭାଙ୍ଗିଲେ ବାଂଲାଦେଶ ପ୍ରଥମ ଶ୍ରେଣୀ ରେକର୍ଡ

ଢାକା,୩।୨- ବାଂଲାଦେଶ ଓପନର ତାମିମ ଇକବାଲ ଦେଶର ପ୍ରଥମ ଶ୍ରେଣୀ କ୍ରିକେଟରେ ୩୩୪ ରନ୍‌ର ଅପରାଜିତ ଇନିଂସ ଖେଳିଛନ୍ତି। ଏହା ପ୍ରଥମ ଶ୍ରେଣୀ କ୍ରିକେଟରେ ବାଂଲାଦେଶୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ପୂର୍ବାଞ୍ଚଳ ପାଇଁ ଖେଳୁଥିବା ତାମିମ ମଧ୍ୟାଞ୍ଚଳ ବିପକ୍ଷରେ ମାରାଥନ ଇନିଂସ ଖେଳିଛନ୍ତି। ତାଙ୍କ ପୂର୍ବରୁ ରକିବୁଲ ହସନଙ୍କ ନାମରେ ଥିଲା ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ। ସେ ୨୦୦୭ ମାର୍ଚ୍ଚରେ ୩୧୩ ରନ୍‌ର ଇନିଂସ ଖେଳିଥିଲେ। ସଂଯୋଗବଶତଃ ରକିବୁଲ ମଧ୍ୟାଞ୍ଚଳ ପାଇଁ ଏହି ମ୍ୟାଚ୍‌ରେ ଖେଳୁଥିଲେ। ବାଂଲାଦେଶ କ୍ରିକେଟ ଲିଗ୍‌ରେ ତ୍ରିଶତକ ହାସଲ କରିବାର ଏହା ଦ୍ୱିତୀୟ ଘଟଣା। ତାମିମ ୪୨୬ ବଲର ସମ୍ମୁଖୀ ହୋଇ ୪୨ ଚୌକା ଓ ୩ ଛକା ଲଗାଇଥିଲେ। ମଧ୍ୟାଞ୍ଚଳର ୨୧୩ ଜବାବରେ ପୂର୍ବାଞ୍ଚଳରେ ୨ ଉଇକେଟ କ୍ଷତିରେ ୫୫୫ ରନ୍‌ କରିଛି। ମ୍ୟାଚ୍‌ରେ ତାମିମଙ୍କ ବ୍ୟାଟିଂ ଦେଖିବା ପାଇଁ ବାଂଲାଦେଶ ମୁଖ୍ୟ କୋଚ୍‌ ରସେଲ ଡୋମିଙ୍ଗୋ, ଚୟନକର୍ତ୍ତା ଓ ବିସିବି ଅଫିସିଆଲ ଷ୍ଟାଡିୟମରେ ଉପସ୍ଥିତ ଥିଲେ।

Share