ମୀରପୁର, ୨।୨- ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ ତାମିମ୍ ଇକ୍ବାଲ ବାଂଲାଦେଶ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ ଅନୁଷ୍ଠିତ ବାଂଲାଦେଶ କ୍ରିକେଟ୍ ଲିଗ୍ ଅବସରରେ ତାମିମ୍ ତ୍ରିଶତକ ହାସଲ କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ୍ରେ ଇଷ୍ଟ ଜୋନ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ତାମିମ ସେଣ୍ଟ୍ରାଲ ଜୋନ୍ ବିପକ୍ଷରେ ୩୩୪ ରନ (୪୨୬ ବଲ, ୪୨ ଚୌକା, ୩ ଛକା)ର ତ୍ରିଶତକୀୟ ଇନିଂସ ଖେଳିଥିଲେ। ବାଂଲାଦେଶ ପ୍ରଥମଶ୍ରେଣୀ କ୍ରିକେଟ୍ରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର। ପୂର୍ବରୁ ଏହି ରେକର୍ଡ ରୁବେଲ ହୋସେନଙ୍କ ନାମରେ ରହିଥିଲା। ରୁବେଲ ୨୦୦୭ରେ ଏକ ମ୍ୟାଚ୍ରେ ୩୧୩ ରନ କରିଥିଲେ। ସେହିଭଳି ୨ୟ ଥର ଲାଗି କୌଣସି ବାଂଲାଦେଶ ବ୍ୟାଟ୍ସମ୍ୟାନ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ତ୍ରିଶତକ ଅର୍ଜନ କରିଛନ୍ତି। ତେବେ ବାଂଲାଦେଶ ମାଟିରେ ଏହା ସର୍ବାଧିକ ପ୍ରଥମ ଶ୍ରେଣୀ ସ୍କୋର। ୨୦୧୪ରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁମାର ସଙ୍ଗକାରା ଏକ ଟେଷ୍ଟ ମ୍ୟାଚ୍ରେ ୩୧୯ ରନ କରିଥିଲେ।