ତାମିଲନାଡ଼ୁରେ ନିର୍ଯାତନା ଅଭିଯୋଗ ଆଣିଲେ ବରଗଡ଼ର ପ୍ରବାସୀ ଶ୍ରମିକ

ବରଗଡ଼ ଅଫିସ୍‌,୧୪।୫-: ଲକ୍‌ ଡାଉନ୍‌ ଯୋଗୁ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢ଼ି ଯାଇଛି । ଘରକୁ ଫେରିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ି ଥିବାବେଳେ ଭୋକ, ଉପାସରେ ମଧ୍ୟ ରହିବାକୁ ପଡୁଛି। ଅନ୍ୟପଟେ ଏଭଳି ବିପର୍ଯ୍ୟୟ ସମୟରେ ସେମାନଙ୍କୁ ସହାୟତା ବଦଳରେ ମାଡ଼ ଖାଇବାକୁ ମଧ୍ୟ ପଡୁଛି। ବରଗଡ଼ ଜିଲାରୁ ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଇଥିବା କେତେକ ଶ୍ରମିକଙ୍କ ଉପରେ ଏଭଳି ନିଯର୍ର୍ାତନା ଦିଆଯାଇଥିବା ଖବର ସାମ୍ନାକୁ ଆସିଛି । ନିର୍ଯାାତିତ ଶ୍ରମିକମାନେ ସେଠାରୁ ପଠାଇଥିବା ଏକ ଭିଡ଼ିଓ କ୍ଲିପିଂ ଏବଂ କେତେକ ଫଟୋରୁ ତାହା ସ୍ପଷ୍ଟ ହୋଇ ଯାଇଛି ।
ସୂଚନା ଅନୁଯାୟୀ, ଗତ କିଛିମାସ ତଳୁ ବରଗଡ଼ ଜିଲାର ୩୦ଜଣଙ୍କ ସମେତ ଓଡ଼ିଶାର ଶତାଧିକ ଶ୍ରମିକ ତାମିଲନାଡ଼ୁ ରାଜ୍ୟର ତିରପୁରଠାରେ ରହିଥିବା ଏକ ଏକ କପଡ଼ା କାରଖାନାରେ କାମ କରୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ ସେମାନେ ଘରକୁ ଫେରିବାକୁ ଚାହୁଁଛନ୍ତି । ଏଥିପାଇଁ ସେମାନେ କିଛିଦିନ ତଳେ ସେହି କାରଖାନାରୁ ବାହାରି ପାସ୍‌ ପାଇଁ ଏକ କାର୍ଯ୍ୟାଳୟକୁ ଯାଉଥିଲେ। ମାତ୍ର ସେମାନେ ସେଠାରୁ ବାହାରିବା ପରେ କାରଖାନା ମାଲିକ ପୋଲିସ ଲଗାଇ ସେମାନଙ୍କୁ ମାଡ଼ ମରାଇଥିବା ଅଭିଯୋଗ ହୋଇଛି। ଏପରିକି ଶ୍ରମିକଙ୍କ ହାତ, ଗୋଡ଼ ତଥା ଶରୀରର ବିଭିନ୍ନ ସ୍ଥାନରେ ଅନେକ ମାଡ଼ ଦାଗ ରହିଛି । ସେହିପରି କାରଖାନାରୁ ବାହାରିଲେ ଶ୍ରମିକଙ୍କୁ ପୁଣି ମାଡ଼ ଦିଆଯିବ ବୋଲି କୁଆଡ଼େ କାରଖାନା ମାଲିକ ଧମକ୍‌ ଦେଉଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଶ୍ରମିକମାନେ କାରଖାନା ଭିତରେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏ ନେଇ ପଦ୍ମପୁର ଉପଖଣ୍ଡ ସମାରପାଲି ଗ୍ରାମର ଜଣେ ପ୍ରବାସୀ ଶ୍ରମିକ ନିଜ ଘରକୁ ଫୋନ କରି ଜଣାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ବରଗଡ଼ ଜିଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କୁ ଘଟଣା ସମ୍ପର୍କରେ ସୂଚନା ପାଇଥିଲେ। ଏହି ସୂଚନା ପାଇବା ପରେ ସାମାଜିକ କର୍ମୀ ଦିବସ ସମ୍ପୃକ୍ତ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଆଇଜି ଅମିତାଭ ଠାକୁରଙ୍କୁ ଫୋନ ଯୋଗେ ନିବେଦନ କରିଥିଲେ। ସେହି ସୂଚନା ପାଇବା ପରେ ଓଡ଼ିଶାର କୋଭିଡ୍‌ ହେଲ୍ପଲାଇନ୍‌ ପକ୍ଷରୁ ମଧ୍ୟ ସମ୍ପୃକ୍ତ ଶ୍ରମିକଙ୍କୁ ଯୋଗାଯୋଗ କରାଯାଇ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଶ୍ରମିକଙ୍କ ଜୀବନ ପ୍ରତି ବିପଦ ଥିବା ଯୋଗୁ ସେମାନଙ୍କୁ ସେଠାରୁ ତୁରନ୍ତ ଉଦ୍ଧାର କରି ଘରକୁ ପଠାଇବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ସାମାଜିକ କର୍ମୀ ଦିବସ ତଥା ଶ୍ରମିକଙ୍କ ପରିବାର ଲୋକେ ନିବେଦନ କରିଛନ୍ତି ।

Share