ତାମିଲନାଡୁରୁ ୧୩୦୦ କି.ମି. ଚାଲି ଆସିଲେ

ଭଣ୍ଡାରିପୋଖରୀ, ୧୫ା୫(ଡି.ଏନ.ଏ.)-ମହାମାରୀ କରୋନା ଲାଗି ଦେଶବ୍ୟାପୀ ଲକ୍‌ଡାଉନ କରାଯାଇଥିବାରୁ ରାଜ୍ୟ ବାହାରେ ରହି କାମ କରୁଥିବା ଓଡ଼ିଆଙ୍କ ଜୀବନ ଦୁର୍ବିଷହ ହୋଇପଡିଛି। କିଏ ସାଇକେଲରେ ତ କିଏ ଚାଲି ଚାଲି ନିଜ ଭିଟାମାଟିକୁ ଫେରୁଛନ୍ତି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଦୁଇ ଯୁବକ ତାମିଲନାଡୁରୁ ୧୩ଶହ କି.ମି. ଚାଲି ଚାଲି ଆସି ନିଜ ଗଁାରେ ପହଞ୍ଚିଛନ୍ତି। ସେମାନେ ହେଲେ ନପଙ୍ଗ ପଞ୍ଚାୟତ ଜୋରାଗଡ଼ିଆ ଆଦିବାସୀ ସାହିର ନାଥ ମୁଣ୍ଡା (୨୩) ଏବଂ ରଣଜିତ ପଞ୍ଚାୟତ ବୀରଭଦ୍ରପୁର ଗ୍ରାମର କମଳାକାନ୍ତ ପାତ୍ର (୨୭)।
ନପଙ୍ଗ ସରପଞ୍ଚ କାମିନୀ ନାୟକ ଓ ରଣଜିତ୍‌ ସରପଞ୍ଚ ମନୋଜ ନାୟକଙ୍କ ସୂଚନା ଅନୁଯାୟୀ ଏହି ଦୁଇ ଯୁବକ ଗତ ଏପ୍ରିଲ ୨୮ତାରିଖରୁ ତାମିଲନାଡୁରୁ ବାହାରିଥିଲେ। କିଛି ଶୁଖିଲା ଖାଦ୍ୟ ଓ ପାଣି ବୋତଲ ସାଥିରେ ଧରି ଚାଲି ଚାଲି ବାହାରିଥିଲେ। ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମଠାରେ କେତେକ ବଦାନ୍ୟ ବ୍ୟକ୍ତି ତାଙ୍କ ପାଇଁ ଖାଦ୍ୟପେୟ ବ୍ୟବସ୍ଥା କରିଥିଲେ। ଦୀର୍ଘଦିନର ଯାତ୍ରା ପରେ ଉଭୟେ ବହୁ କଷ୍ଟରେ କଟକଠାରେ ପହଞ୍ଚିବା ସେମାନଙ୍କଠାରେ ଜୀବନ ପଶିଥିଲା ବୋଲି କୋହଭରା କଣ୍ଠରେ କହିଛନ୍ତି। ସେମାନେ ଗଁାରେ ପହଞ୍ଚିବା ପରେ ସରପଞ୍ଚମାନଙ୍କ ଦାୟିତ୍ୱରେ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି।