ତାମିଲ୍‌ନାଡ଼ୁରେ ଫସିଛନ୍ତି କାଶିପୁରର ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ

ଟିକିରି,୨୯ା୩: ଲକ୍‌ଡାଉନ୍‌ ଯୋଗୁ ରାୟଗଡ଼ା ଜିଲା କାଶିପୁର ବ୍ଲକ୍‌ ଡୁଡୁକାବାହାଲ ପଞ୍ଚାୟତ ଅଧୀନ କାଳିଆପଡ଼ା ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ତାମିଲ୍‌ନାଡ଼ୁରେ ଫସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ କାମ ପାଇଁ ଗାଁର କେତେକ ଶ୍ରମିକ ତାମିଲ୍‌ନାଡ଼ୁ ରାଜ୍ୟ ଇରୋଡ୍‌ ଜିଲାର ପୁଡୁପାଲ୍ୟମ୍‌ ଗ୍ରାମକୁ ଯାଇଥିଲେ। ହେଲେ କରୋନାର କାୟା ବିସ୍ତାର ଯୋଗୁ ଲକ୍‌ଡାଉନ୍‌ ଘୋଷଣା ପରେ କମ୍ପାନୀଗୁଡ଼ିକ ବନ୍ଦ ରହିଛି। ଟ୍ରେନ୍‌ ସେବା ମଧ୍ୟ ବନ୍ଦ ଯୋଗୁ ସେମାନେ ଗାଁଙ୍କୁ ଫେରିପାରୁ ନାହାନ୍ତି। ପାଖରେ ଥିବା ଟଙ୍କା ମଧ୍ୟ ସରିଲାଣି। ଏବେ ଖାଇବାକୁ ସେମାନଙ୍କ ପାଖରେ ଟଙ୍କା ନଥିବାରୁ ବହୁ ଅସୁବିଧାରେ ରହିଛନ୍ତି। ବାହାରକୁ ବାହାରିବା ସମ୍ଭବ ନ ଥିବାବେଳେ ପିଇବା ପାଣି ମଧ୍ୟ ଠିକ୍‌ଭାବେ ପାଉନାହାନ୍ତି। ତେଣୁ ସେମାନଙ୍କ ଖାଇବା ଓ ପିଇବା ସୁବିଧା କରିବା ସହ ଗାଁକୁ ଫେରିବା ବ୍ୟବସ୍ଥା କରିବାକୁ ସେମାନେ ରାୟଗଡ଼ା ଜିଲା ପ୍ରଶାସନ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଶ୍ରମିକମାନେ ଏକ ଭିଡିଓ ମାଧ୍ୟମରେ ଏହି ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଫସିଥିବା ଲୋକଙ୍କ ମଧ୍ୟରେ ଅନେକ ମହିଳା ମଧ୍ୟ ରହିଛନ୍ତି। ସେହିପରି କାଶିପୁର ବ୍ଲକ୍‌ର ଦିଶାରିଗୁଡ଼ା, ଫୋଟାଗାଡ଼, ସାନମାଟିକଣା ଆଦି ଗ୍ରାମର ଶତାଧିକ ଶ୍ରମିକ ଲକ୍‌ଡାଉନ୍‌ ଯୋଗୁ ତାମିଲ୍‌ନାଡ଼ୁ ସମେତ ଅନ୍ୟ ସ୍ଥାନରେ ଫସିଥିବା ଜଣାପଡ଼ିଛି । ସେମାନଙ୍କୁ ଗାଁକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।

Share