ତାମିଲ୍‌ନାଡୁର କୋୟମ୍‌ବେଡୁ ବଜାର ପାଲଟିଛି କରୋନା ହଟ୍‌ସ୍ପଟ୍‌

ଚେନ୍ନାଇ,୫।୫: ତାମିଲନାଡୁର କୋୟମ୍‌ବେଡୁ ବଜାର ଏବେ କରୋନ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି। ୬୫ ଏକର ଜମିରେ ଥିବା ଏହି ବୃହତ୍‌ ବଜାରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବ୍ୟବସାୟୀ ଆସିଥାନ୍ତି। ଶହଶହ ମାଲ୍‌ ବୋଝେଇ ଟ୍ରକ୍‌ ପ୍ରତିଦିନ ଏଠାକୁ ଆସିଥାଏ। ବହୁ ଲୋକ କାମଧନ୍ଧା କରିବା ପାଇଁ ମଧ୍ୟ ଏଠାକୁ ଆସିଥାନ୍ତି। ଏହି ଅଞ୍ଚଳରେ କରୋନା ସଂକ୍ରମଣ କ୍ରମଶଃ ବଢୁଥିବାରୁ ଏହାକୁ ଅରେଞ୍ଜ୍‌ ଜୋନ୍‌ରୁ ପରିବର୍ତ୍ତିତ କରାଯାଇ ରେଡ୍‌ଜୋନ୍‌ଭାବେ ବର୍ଗୀକୃତ କରାଯିବାକୁ ଯୋଜନା କରାଯାଇଛି। ଉତ୍ତର ତାମିଲନାଡୁର କୁଡ୍ଡାଲୋରଠାରୁ ଣ୍ଡିଡିଗୁଲ ମଧ୍ୟରେ ଏହି ବଜାର ରହିଛି। ଇତିମଧ୍ୟରେ କୁଡ୍ଡାଲୋରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମିତମାନେ କୋୟମ୍‌ବେଡୁ ବଜାରକୁ ଯାଇଥିବା ସେମାନଙ୍କ ଟ୍ରାଭେଲ୍‌ ହିଷ୍ଟ୍ରିରୁ ଜଣାପଡ଼ିଛି। ବଜାରକୁ ଆସିଥିବା ୪୫୦ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଅନ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ବଜାରକୁ ଆସିଥିବା ୪୫୯ ଲୋକ ଏବଂ ସେମାନଙ୍କ ସହିତ ମିଳାମିଶା କରିଥିବା ୨୮୭ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବା ଲାଗି ୪ଟି କେନ୍ଦ୍ର ସ୍ଥାପିତ କରାଯାଇଥିବା ବିଲ୍ଲୁପୁରମ୍‌ ପୋଲିସ ଅଧିକ୍ଷକ ଏସ୍‌. ଜୟରାମ ସୂଚନା ଦେଇଛନ୍ତି। ସଂକ୍ରମିତଙ୍କୁ ଟ୍ରାକିଂ କରିବା କାର୍ଯ୍ୟ ଜାରି ରହିଥିବା ଣ୍ଡିଡିଗୁଲ୍‌ ଜିଲାପାଳ ଏମ୍‌ ବିଜୟାଲକ୍ଷ୍ମୀ କହିଛନ୍ତି।

Share