ତାରବିହୀନ ବିଦ୍ୟୁତ୍‌

ସାଧାରଣତଃ ବିଦ୍ୟୁତ ସଞ୍ଚାରଣ ପାଇଁ ତାରର ଆବଶ୍ୟକତା ପଡ଼ିଥାଏ। ହେଲେ ଏଣିକି ଏଥିପାଇଁ ତାର ଆବଶ୍ୟକ ପଡିବ ନାହିଁ। ଏ କ୍ଷେତ୍ରରେ ଗବେଷଣା କରି ସଫଳତା ହାସଲ କରିଥିବାର ଜାପାନ ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହି ବିଷୟରେ ଗବେଷଣା କରିବା ସମୟରେ ସେମାନେ ମାଇକ୍ରୋଓ୍ବେଭର ପ୍ରୟୋଗ କରି ୧୦ କିଲୋଓ୍ବାଟ୍‌ ବିଦ୍ୟୁତକୁ ୧,୬୪୦ ଫୁଟ ଦୂରରେ ଥିବା ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇଥିଲେ। ସାଧାରଣଭାବରେ ୧୦ କିଲୋଓ୍ବାଟ ବିଦ୍ୟୁତ ରୋଷେଇ ଘରେ ବ୍ୟବହୃତ ହେଉଥିବା ସମସ୍ତ ଉପକରଣକୁ ଚଳାଇବାକୁ ପର୍ଯ୍ୟାପ୍ତ। ତେବେ ଏପରି ତାରବିହୀନ ବିଦ୍ୟୁତ ପଛରେ ଆଉ ଏକ ଲକ୍ଷ୍ୟ ରହିଛି। ମହାକାଶରୁ ମିଳୁଥିବା ସୌରଶକ୍ତିକୁ ପୃଥିବୀ ପୃଷ୍ଠରେ କିପରି ବ୍ୟବହାର କରାଯାଇପାରିବ ସେ ନେଇ ଏହାଦ୍ୱାରା କେତେକାଂଶରେ ସଫଳତା ମିଳିପାରିବ ବୋଲି ସେମାନେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।