ତାରିଖ ପରେ ତାରିଖ ଯୁଗ ଶେଷ

ସର୍ବେଶ୍ୱର ବେହେରା

କେନ୍ଦ୍ର ସରକାର ଫୌଜଦାରି ଆଇନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି । ୧୮୬୦ର ଭାରତୀୟ ପିଙ୍ଗଳ କୋଡ୍‌କୁ (ଆଇପିସି) ପରିବର୍ତ୍ତନ କରି ଭାରତୀୟ ନ୍ୟାୟ ସଂହିତା ୨୦୨୩ ପ୍ରଣୟନ କରିଛନ୍ତି । ସେହିପରି ୧୯୭୩ର ଦଣ୍ଡବିଧି ପ୍ରକ୍ରିୟା (ସିଆରପିସି) ସ୍ଥାନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ୧୮୭୨ର ଭାରତୀୟ ସାକ୍ଷ୍ୟ ପ୍ରମାଣ ଆଇନ ସ୍ଥାନରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ପ୍ରଣୟନ କରିଛନ୍ତି। କେନ୍ଦ୍ର ସରକାର ଏହି ପରିବର୍ତ୍ତନର ପ୍ରକ୍ରିୟା ୨୦୧୯ରୁ ଆରମ୍ଭ କରିଥିଲେ। ଗୃହ ମନ୍ତ୍ରଣାଳୟ ଏହି ସଂସ୍କାର ପାଇଁ ଦେଶର ସମସ୍ତ ନ୍ୟାୟବ୍ୟବସ୍ଥା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ପ୍ରସ୍ତାବ ମାଗିଥିଲେ । ସମସ୍ତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଲ୍ୟୁଟ୍‌ନାଣ୍ଟ ଗଭର୍ନର, ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି, ସମସ୍ତ ରାଜ୍ୟ ଉଚ୍ଚନ୍ୟାୟାଳୟ, ବାର କାଉନ୍‌ସିଲ ସଦସ୍ୟମାନଙ୍କଠାରୁ ମଧ୍ୟ ପ୍ରସ୍ତାବ ଯାଚନା କରାଯାଇଥିଲା । ୨୦୨୦ରେ ଏହି ସଂସ୍କାର ପାଇଁ ଏକ କମିଟି ଗଠନ କରାଯାଇଥିଲା। ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଏହାର ଅଧ୍ୟକ୍ଷ ଥିଲେ। ସମସ୍ତ କ୍ଷେତ୍ରରୁ ୩୨୦୦ ପ୍ରସ୍ତାବ ପ୍ରେରଣ କରାଯାଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଏଥିପାଇଁ ୧୫୦ରୁ ଊର୍ଦ୍ଧ୍ୱ ବୈଠକ ଆୟୋଜନ କରିଥିଲେ। ପରିଶେଷରେ ଏହା ସଂସଦରେ ଆଗତ ହୋଇଥିଲା । ସଂସଦର ଷ୍ଟାଣ୍ଡିଂ କମିଟି ମଧ୍ୟ ମତପ୍ରଦାନ କରିଥିଲେ । ସଂସଦର ଉଭୟ ଗୃହରେ ଏହା ସ୍ବୀକୃତି ହୋଇସାରିଛି ।
ପୂର୍ବରୁ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ରେ ୫୧୧ଟି ଧାରା ଥିଲା । ସେ ସ୍ଥାନରେ ଏବେ ଭାରତୀୟ ନ୍ୟାୟ ସଂହିତାରେ ମାତ୍ର ୩୫୮ ଧାରା ସ୍ଥାନୀତ କରାଯାଇଛି। ଏଥିରେ ୨୦ଟି ନୂତନ ଧାରା ଯୋଡ଼ାଯାଇଛି । ୩୩ଟି ଅପରାଧରେ ଦଣ୍ଡକୁ ବୃଦ୍ଧି କରାଯାଇଛି । ସେହିପରି ୮୩ଟି ଅପରାଧରେ ଅର୍ଥଦଣ୍ଡକୁ ବୃଦ୍ଧି କରାଯାଇଛି । ୨୩ଟି ଅପରାଧରେ ସର୍ବନିମ୍ନ ଅପରାଧ ସ୍ଥାନ ପାଇଛି । ନୂତନ ଭାବେ ୬ଟି ଧାରାରେ ସମାଜ ସେବା କରିବା ପାଇଁ ଦଣ୍ଡ ପ୍ରଦାନ କରାଯାଇଛି । ୧୯ଟି ଧାରାକୁ ଉଚ୍ଛେଦ କରାଯାଇଛି ।
ପୂର୍ବରୁ ସିଆରପିସିରେ ୪୮୪ଟି ଧାରା ଥିଲା । ତା’ ସ୍ଥାନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ୫୩୧ଟି ଧାରା ସ୍ଥାନ ପାଇଛି । ସମୁଦାୟ ୧୭୭ଟି ଧାରା ପରିବର୍ତ୍ତନ କରାଯାଇଛି । ୯ଟି ନୂତନ ଧାରା ଓ ୩୯ଟି ଉପଧାରା ସ୍ଥାନ ପାଇଛି । ୪୪ଟି ଧାରାର ନୂତନ ସ୍ପଷ୍ଟୀକରଣ କରାଯାଇଛି । ୩୫ଟି ଧାରାରେ ସମୟ ନିର୍ଘଣ୍ଟ ପ୍ରଦାନ କରାଯାଇଛି । ୩୫ଟି ସ୍ଥାନରେ ଦୃଶ୍ୟଶ୍ରାବ (ଅଡିଓ-ଭିଡିଓ) ପଦ୍ଧତି ସ୍ଥାନ ପାଇଛି । ୧୪ଟି ଧାରାକୁ ଉଚ୍ଛେଦ କରାଯାଇଛି । ସେହିପରି ଭାରତୀୟ ସାକ୍ଷ୍ୟ ଅଧିନିୟମରେ ୧୭୦ଟି ଧାରା ସ୍ଥାନ ପାଇଛି। ପୂର୍ବରୁ ଏଥିରେ ୧୬୭ଟି ଧାରା ଥିଲା। ୨୪ଟି ଧାରା ଓ ୬ଟି ଉପଧାରାକୁ ନୂତନ ଭାବେ ଯୋଡ଼ାଯାଇଛି । ୬ଟି ଧାରାକୁ ଉଚ୍ଛେଦ କରାଯାଇଛି ।
ବିଶେଷକରି ଭାରତୀୟ ନାଗରିକ ସୁରକ୍ଷା ସଂହିତା ପ୍ରଣୟନ ଆଇନ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ କରାଯାଇଛି । କାରଣ ପୂର୍ବରୁ ଏଥିରେ ସମୟ ନିର୍ଘଣ୍ଟ ନ ଥିଲା । ଫଳରେ ତାରିଖ ପରେ ତାରିଖ ହୋଇ ବର୍ଷ ବର୍ଷ ଧରି ମୋକଦ୍ଦମା ଚାଲୁଥିଲା । ଏହି ନୂତନ ଆଇନରେ ୩୫ଟି ଧାରାରେ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି । ଗିରଫ, ତଦନ୍ତ, ଆରୋପ ପତ୍ର (ଚାର୍ଜଶିଟ) ମାମଲା ଶୁଣାଣି, ସରକାରୀ ଓକିଲ ନିଯୁକ୍ତ, ଜାମିନ, ରାୟ ପ୍ରଦାନ, କ୍ଷମା ଯାଚନା ଆଦି ୩୫ଟି କ୍ଷେତ୍ରରେ ସମୟ ନିର୍ଘଣ୍ଟ ଉଲ୍ଲେଖ କରାଯାଇଛି । ଉପଯୁକ୍ତ ସମୟ ମଧ୍ୟରେ ନ୍ୟାୟାଧୀଶମାନେ ନ୍ୟାୟ ପ୍ରଦାନ କରିବେ । ଥାନାରେ ଏତଲା ତିନିଦିନ ମଧ୍ୟରେ ପଞ୍ଜୀକୃତ ହୋଇ ଆବେଦନକାରୀଙ୍କୁ ତା’ର ନକଲ ପ୍ରଦାନ କରାଯିବ। ସେହିପରି ଡାକ୍ତରମାନେ ସାତ ଦିନ ମଧ୍ୟରେ ମାଇନା ରିପୋର୍ଟ ପ୍ରଦାନ କରିବେ । ତଦନ୍ତର ରିପୋର୍ଟ ଆବେଦନକାରୀ ଓ ହିଂସାରେ ଶିକାର ହୋଇଥିବା ବ୍ୟକ୍ତି (ଭିକ୍ଟିମ)ଙ୍କୁ ୯୦ଦିନ ମଧ୍ୟରେ ପ୍ରଦାନ କରାଯିବ । ଷାଠିଏ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇ ବିଚାରପତିମାନେ ଦୋଷାରୋପ ସିଦ୍ଧ (ଚାର୍ଜଫ୍ରେମ) କରିବେ । କୌଣସି ମୁଦାଲା ଗିରଫ ହୋଇ ନ ଥିଲେ ମଧ୍ୟ ତା’ ବିରୋଧରେ ଶୁଣାଣି କରାଯାଇ ଦଣ୍ଡିତ କରାଯିବ। ୯୦ଦିନ ମଧ୍ୟରେ ଶୁଣାଣି (ଟ୍ରାଏଲ) ଶେଷ ହେବ। ତାହାପରେ ନ୍ୟାୟାଧୀଶମାନେ ୪୫ଦିନ ମଧ୍ୟରେ ରାୟ ପ୍ରଦାନ କରିବେ ।
ଏହି ଆଇନରେ ମହିଳା ଓ ଶିଶୁ ଅପରାଧୀମାନଙ୍କୁ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି। ୧୮ ବର୍ଷରୁ କମ୍‌ ନାବାଳିକାଙ୍କୁ ବଳାତ୍କାର କଲେ ଅପରାଧୀଙ୍କୁ ଆଜୀବନ କିମ୍ବା ମୃତ୍ୟୁଦଣ୍ଡ ପ୍ରଦାନ କରାଯିବ । ଗଣବଳାତ୍କାର ମାମଲାରେ ୨୦ବର୍ଷ କିମ୍ବା ମୃତ୍ୟୁଦଣ୍ଡ ପ୍ରଦାନ କରାଯିବ ।ପ୍ରଥମକରି ଆଇନରେ ଆତଙ୍କବାଦକୁ ପରିଭାଷିତ କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୩(କ) ଅନୁସାରେ ଯେ କେହି ଭାରତର ଏକତା, ଅଖଣ୍ଡତା, ସାର୍ବଭୌମତ୍ୱ, ସୁରକ୍ଷା କିମ୍ବା ଆର୍ଥିକ ସୁରକ୍ଷା କିମ୍ବା ଭାରତର ସାର୍ବଭୌମତ୍ୱ କିମ୍ବା ଆତଙ୍କବାଦ ସାର୍ବଜନୀନ ଭାବେ ଭାରତରେ କିମ୍ବା ଭାରତ ବାହାରେ ପ୍ରଚାର କରିବେ କିମ୍ବା ବୋମା ବିସ୍ଫୋରକ ଦ୍ରବ୍ୟ, ହାନିକାରକ ଗ୍ୟାସ, ପରମାଣୁ ସହିତ ହତ୍ୟା କରିବାର ଷଡ଼ଯନ୍ତ୍ର କରିବେ କିମ୍ବା ଅର୍ଥ ତସ୍କରି କରିବେ ତାହା ଆତଙ୍କବାଦ ପରିସରରେ ଆସିବ । ଏହି ଆତଙ୍କବାଦ ଧାରାରେ ମୃତ୍ୟୁ କିମ୍ବା ଆଜୀବନ କାରାବାସ ଦଣ୍ଡବିଧାନ ଧାର୍ଯ୍ୟ କରାଯାଇଛି । ଏହି ଧାରାରେ କାରାବରଣ (ପାରୋଲ) ମିଳିବ ନାହିଁ । ଏଥିରେ ଯଦି କେହି ସର୍ବସାଧାରଣ ସମ୍ପତ୍ତି ଧ୍ୱଂସ କରିବେ ସେ ମଧ୍ୟ ଏହି ଧାରା ଅନ୍ତର୍ଗତ ଦଣ୍ଡନୀୟ ହେବେ ।
ଏହି ଆଇନରେ ସାମୂହିକ ହିଂସା ବା ସାଙ୍ଗଠନିକ ହିଂସା ସମ୍ବନ୍ଧରେ ମଧ୍ୟ କଠୋର ଦଣ୍ଡବିଧାନ କରାଯାଇଛି। ଯଦି ସାମୂହିକ ହିଂସା (ମବ୍‌ ଲିଚିଂ) ଦ୍ୱାରା କାହାର ହତ୍ୟା ହେଉଛି ତେବେ ସେହି ମୁଦାଲାମାନଙ୍କୁ ହତ୍ୟା କିମ୍ବା ଆଜୀବନ କାରାବାସ ଦଣ୍ଡପ୍ରଦାନ କରାଯିବ । ଯଦି ଏହି ଅପରାଧ ପାଇଁ କେହି ପ୍ରୋତ୍ସାହିତ କରିଥିବେ, ସେ ମଧ୍ୟ ଦଣ୍ଡିତ ହେବେ ।ରାଜଦ୍ରୋହ ଧାରାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି । ପୂର୍ବରୁ ଭାରତୀୟ ପିଙ୍ଗଳ ଧାରା ୧୨୪(କ)ରେ ଯଦି କେହି ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବ ସେ ଦଣ୍ଡିତ ହେବ ବୋଲି ଆଇନ ଥିଲା । କିନ୍ତୁ ଏବେ ଭାରତୀୟ ନ୍ୟାୟ ସଂହିତା ଧାରା ୧୫୨ ଅନ୍ତର୍ଗତ ଯେ କେହି ଭାରତର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ବିରୋଧରେ ଷଡ଼ଯନ୍ତ୍ର କରିବେ ସେ ଦଣ୍ଡିତ ହେବେ । ଯେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରିବେ କିମ୍ବା ସାର୍ବଭୌମତ୍ୱ, ଏକତା, ଅଖଣ୍ଡତାକୁ ଧମକ ଦେବେ ସେ ମଧ୍ୟ ଦଣ୍ଡନୀୟ ହେବେ। ସର୍ବୋପରି ଏହି ପରିବର୍ତ୍ତିତ ନୂତନ ଆଇନରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି।
ଆଡ୍‌ଭୋକେଟ, ଖଟବିନସାହି, କଟକ
ମୋ-୯୪୩୭୦୧୬୩୮୪