ତାରିଣୀ ଷ୍ଟୋର ଗୋଦାମରୁ ଚୋରି

ଝୁମ୍ପୁରା, ୧୮।୭(ଡି.ଏନ.ଏ.)-ଝୁମ୍ପୁରା ବଜାରର ମଧ୍ୟଭାଗରେ ଥିବା ତାରିଣୀ ଷ୍ଟୋର ରାଶନ ଦୋକାନର ଗୋଦାମ ଗୃହରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ନେଇ ଗୁରୁବାର ଝୁମ୍ପୁରା ଥାନାରେ ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜ ଏବଂ ପୋଲିସର ତଦନ୍ତ ଆଧାରରେ ଜଣା ପଡିଛି ଯେ, ଚୋରିରେ ୪ରୁ ଊର୍ଦ୍ଧ୍ୱ ସମ୍ପୃକ୍ତ ଅଛନ୍ତି। ବିଳମ୍ବିତ ରାତିରେ ଏକ ପିକଅପ ଭ୍ୟାନ ଯୋଗେ ଗୋଦାମର ଜିନିଷ ଚୋରି ହୋଇଛି। ଥାନାଠାରୁ ଗୋଦାମର ଦୂରତା ମାତ୍ର ୩୦୦ମିଟର ହୋଇଥିବାବେଳେ ଗାଡି ଛିଡା କରାଇ ଦୀର୍ଘ ସମୟ ପର୍ଯନ୍ତ ଚୋର ଗ୍ୟାଙ୍ଗ ଆରାମରେ ଗୋଦାମରୁ ଜିନିଷ କାଢି ଗାଡିରେ ଲୋଡ କରିଛନ୍ତି ହେଲେ ମଧ୍ୟ ପୋଲିସ ଚୋରି ସମ୍ବନ୍ଧରେ କିଛି ଜାଣିପାରି ନାହିଁ। ଗତ କିଛି ବର୍ଷ ହେଲା ଝୁମ୍ପୁରା ଥାନାଞ୍ଚଳରେ ଚୋରି, ରାସ୍ତାଲୁଟ ବଢି ଚାଲିଛି। ବ୍ଲକ କାର୍ଯ୍ୟାଳୟ ପଛ ପାଖରେ ଅନୁପ୍ରବେଶକାରୀଙ୍କ ବେନିୟମ ଭାବେ ସରକାରୀ ଜାଗା ଉପରେ ବସତି ସ୍ଥାପନ ସହିତ ନାନା ପ୍ରକାର ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଝୁମ୍ପୁରା ବଜାରରେ ଚର୍ଚ୍ଚା ଜୋର ଧରିଛି। ବହୁ ସଂଖ୍ୟାରେ ବାହାର ରାଜ୍ୟରୁ ଆସି ସରକାରୀ ଜାଗା ମାଡି ବସିଥିବା ଲୋକଙ୍କର ପରିଚୟ ବ୍ଲକ ପ୍ରଶାସନ, ଥାନାରେ ନାହିଁ, ଏଣୁ ଚୋରି, ରାସ୍ତାଲୁଟ କରି ସେମାନଙ୍କୁ ଖସିଯିବା ସହଜ ହେଉଛି। ଥାନା ଦାୟିତ୍ୱରେ ଥିବା ଏସଆଇ ଏଫ ଟିଗାଙ୍କୁ ଏସମ୍ପର୍କରେ ପଚାରିବାରୁ ସନ୍ଦେହ କରାଯାଉଥିବା ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଛି। ଶୀଘ୍ର ସେମାନଙ୍କୁ ଧରାଯିବ ବୋଳି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।