ତାଲା ପକାଇଲେ ଚାଷୀ, ଧାନକିଣା ବନ୍ଦ

ଭଦ୍ରକ ଅଫିସ, ୨୪ା୧୨- ଭଦ୍ରକ ବ୍ଲକ ବ୍ରହ୍ମପୁର ସେବା ସମବାୟ ସମିତିରେ ମଙ୍ଗଳବାର ଚାଷୀମାନେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଫଳରେ ସେଠାରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇପାରି ନ ଥିଲା। ମଣ୍ଡି ଖୋଲିବାକୁ ଯାଇଥିବା ଜିଲା ଯୋଗାଣ ଅଧିକାରୀ ମିର୍‌ ରାଜ ଅଲ୍ଲୀ ଓ ଅନ୍ୟ କର୍ମକର୍ତ୍ତା ବାଧ୍ୟ ହୋଇ ଫେରିଆସିଥିଲେ।

ଆନ୍ଦୋଳନକାରୀ ଚାଷୀ ଦର୍ଶାଇଥିଲେ ଯେ ଉକ୍ତ ସେବା ସମବାୟ ସମିତି ମାଧ୍ୟମରେ ବେନ୍ତାଳ, କେଦାରପୁର ଓ ବ୍ରହ୍ମପୁରର ୮୧୪ ଜଣ ଚାଷୀ ଧାନ ବିକିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଆଗ ପଞ୍ଜୀକୃତ ହୋଇଥିବା ଚାଷୀଙ୍କୁ ଅଗ୍ରାଧିକାର ନ ଦେଇ ପରେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କୁ ଧାନ ବିକିବା ସକାଶେ ଟୋକନ ଦିଆଯାଇଥିବାରୁ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଟୋକନ ପ୍ରଦାନରେ ଅନିୟମିତତାକୁ ବିରୋଧ କରି ଚାଷୀମାନେ ସେଠାରେ ଯୋଗାଣ ଅଧିକାରୀଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କୁ ଘେରାଉ କରି ରଖିଥିଲେ। ଏହାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହି ଯୋଗାଣ ଅଧିକାରୀ ସେଠାରୁ ଫେରି ଆସିଥିଲେ।