ତାଲା ଭାଙ୍ଗି ସୁନା ଅଳଙ୍କାର ଚୋରି: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ଯୋଡ଼ା,୧୬।୧୨(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହରର ଆଜାଦ ବସ୍ତିଠାରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ଘରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଥିବା ଯୋଡ଼ା ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ବିହାର ରାଜ୍ୟ ଭାଗଲପୁର ଅଞ୍ଚଳର ଗୋପୀ କୁମାର ଓ ତାଙ୍କ ସ୍ତ୍ରୀ ନେହା ରାଣୀ ଯୋଡ଼ା ଆଜାଦ ବସ୍ତିର ମହେଶ ସିଂଙ୍କ ତଳ ଘରେ ଭଡ଼ାରେ ରହୁଥିଲେ। ଗୋପୀ କୁମାର ସ୍ଥାନୀୟ ଏକ ପରିବହନ କମ୍ପାନୀରେ ଡେପୁଟି ମ୍ୟାଜେନର ଭାବେ କାର୍ଯ୍ୟ କରନ୍ତି। ସେ ଓ ତାଙ୍କ ସ୍ତ୍ରୀ ଗତ ୭ ତାରିଖରେ ନିଜ ଗାଁକୁ ଚାଲିଯାଇଥିଲେ। ତେବେ ଗତ ୧୩ ତାରିଖରେ ସେ ରହୁଥିବା ଭଡ଼ା ଘରର ତାଲା ଭାଙ୍ଗି ଘରୁ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ନଗଦ ୧୫୦୦ ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଗୋପୀ ତୁରନ୍ତ ରବିବାର ଯୋଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ସୋମବାର ପୂର୍ବାହ୍ନରେ ଯୋଡ଼ା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ ଓ ବଡ଼ବିଲ ଏସ୍‌ଡିପିଓ ସତ୍ୟ ବିକାଶ ଭୂୟାଁ ଡଗ୍‌ ସ୍କ୍ବାଡ ଓ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଉକ୍ତ ଭଡ଼ା ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଯୋଡ଼ା ଥାନାରେ ୨୨୨/୧୯ରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ଚୋରି ଯାଇଥିବା ଜିନିଷର କୌଣସି ସନ୍ଧାନ ମିଳିପାରିନାହିଁ।