ତାଲିକାରେ ନାଁ ଅଛି, ମିଳୁନି ଆବାସ

ତେନ୍ତୁଳିଖୁଣ୍ଟି,୨୫।୨(ଡି.ଏନ.ଏ)

ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚୟନ ତାଲିକାରେ ନାମ ଅଛି,ତଥାପି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳୁନି। ବାଧ୍ୟ ହୋଇ ଭଙ୍ଗା ଦଦରା ଘରେ ରହୁଛନ୍ତି ହିତାଧିକାରୀ। ଏହିପରି ଘଟଣା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଦାଣ୍ଡୁଗୁଡା ଗ୍ରାମର ଡମୁ ଜାନୀଙ୍କ କ୍ଷେତ୍ରରେ ଘଟିଛି। ଦାଣ୍ଡୁଗୁଡା ଗ୍ରାମର ଜିରୁ ଜାନୀଙ୍କ ପୁଅ ଡମୁଙ୍କ ନାମ ପ୍ରଧାନମନ୍ତ୍ରୀ ଅବାସ ପାଇଁ ଗ୍ରାମସଭାରେ ମନୋନୀତ ହୋଇ ତାଲିକାରେ ନାମ ରହିଥିଲା। ତାଲିକାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଇଡି ନଂ. ୪୬୧୮୩୬୮ ରହିଥିଲା। ଅର୍ଥନୈତିକ ଜାତିଗତ ସର୍ଭେ ତାଲିକାରେ ମଧ୍ୟ ଡମୁଙ୍କ ନାମ ଥିଲା । ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଁ ତାଙ୍କ କ୍ରମିକ ନଂ ଆସିଥିଲା। ସେଥିପାଇଁ ପଞ୍ଚାୟତର ତତ୍କାଳୀନ ଦାୟିତ୍ୱରେ ଥିବା ଅଧିକାରୀ ୨୦୧୭-୧୮ ଆର୍ଥିକ ବର୍ଷରେ ଡମୁଙ୍କ ଠାରୁ ଜବକାର୍ଡ, ବ୍ୟାଙ୍କ ପାଶବୁକ, ଆଧାରକାର୍ଡ, ଘରଡିହ ପଟ୍ଟା, ଭୋଟର ଆଇଡି କାର୍ଡର ନକଲ ନେଇଥିଲେ। କିନ୍ତୁ କାର୍ଯ୍ୟାଦେଶ ମିଳି ନ ଥିଲା। ତାଙ୍କ ବଦଳରେ ଅନ୍ୟ ଏକ ଗ୍ରାମର ଉକ୍ତ ନାମ ଥିବା ଜଣେ ବ୍ୟକ୍ତିଙ୍କୁ କାର୍ଯ୍ୟାଦେଶ ମିଳିଥିଲା। ପ୍ରଧାନମନ୍ତ୍ରୀ ଆବାସରେ ଘର ଘଣ୍ଡେ ନ ପାଇ ଡମୁ ଜାନୀ, ତାଙ୍କ ସ୍ତ୍ରୀ ଏବଂ ବିଧବା ବୋହୂ ଓ ୩ ନାତିନାତୁଣୀ ସହ ଭଙ୍ଗାଦଦରା ଘରେ ଜୀବନ ବିତାଉଛନ୍ତି। ଆଦିବାସୀଙ୍କ ନାମରେ ଆସୁଥିବା ଘରକୁ ଅଣ ଆଦିବାସୀଙ୍କୁ ଦିଆଯାଉଥିବା ଅଭିଯୋଗ ହେଉଛି। ଡମୁଙ୍କ ନାମ ତାଲିକାରେ ଥିବା ବେଳେ କାହିଁକୁ ତାଙ୍କୁ ଘର ମିଳି ନାହିଁ ଏହାର ତଦନ୍ତ କରାଯାଉ ବୋଲି ସାମାଜିକ କର୍ମୀ ପ୍ରଶାନ୍ତ ନାୟକ ଦାବି କରିଛନ୍ତି।

Share