ତାଲିବାନ ଦମନର ପୃଷ୍ଠଭୂମି

କାବୁଲ,୧।୩: ୨୦୦୧ ସେପ୍ଟେମ୍ବର ୧୧ରେ ନ୍ୟୁୟର୍କସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ବିମାନ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଓସାମା ବିନ୍‌ ଲାଡେନ୍‌ ନେତୃତ୍ୱରେ ଆଫଗାନିସ୍ତାନରେ ସକ୍ରିୟ ଥିବା ଅଲ୍‌କାଏଦା ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ, ଯେଉଁଥିରେ ୨୯୭୭ ଜଣଙ୍କ ମୃତ୍ୟୁ ହେବା ସହ ୨୫,୦୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ। ଏଥିରେ ୧୦ ବିଲିୟନ ଡଲାର ମୂଲ୍ୟର ଭିତ୍ତିଭୂମି ଓ ସମ୍ପତ୍ତି ଧ୍ୱଂସ ହୋଇଥିଲା। ଆମେରିକାରୁ ବିମାନ ଅପହରଣ କରି ଏହାର ସେଣ୍ଟର ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଉପରେ ଥିଲା ଏହା ପ୍ରଥମ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ।
ଏହାର ପ୍ରତିଶୋଧ ନେବା ପାଇଁ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ. ବୁଶ୍‌ ଆଫଗାନିସ୍ତାନ ଉପରେ ଆକ୍ରମଣ ଘୋଷଣା କରିଥିଲେ। ଅଲ୍‌ କାଏଦାକୁ ଆଶ୍ରୟ ଦେବା ସହ ସହଯୋଗ କରୁଥିବା ତାଲିବାନକୁ କ୍ଷମତାରୁ ହଟାଇବା ପାଇଁ ଏହି ଆକ୍ରମଣ କରାଯାଇଥିଲା। ୨୦୦୧ ଅକ୍ଟୋବର ୭ରେ ଆମେରିକା ଓ ଏହାର ମିତ୍ରଶକ୍ତି ତାଲିବାନକୁ କ୍ଷମତାରୁ ହଟାଇବାରେ ସଫଳ ହୋଇଥିଲେ। ପ୍ରାଥମିକ ଲକ୍ଷ୍ୟ ପୂରଣ ହୋଇଥିଲେ ହେଁ ସେଠାରେ ଆମେରିକା ଓ ନାଟୋ ପକ୍ଷରୁ ଏକ ସୁରକ୍ଷା ମିଶନ ଗଢ଼ାଯାଇଥିଲା। ୨୦୧୪ ପର୍ଯ୍ୟନ୍ତ ଆଫଗାନ ସରକାରୀ ସେନା ସହ ମିଶି ଆମେରିକା ତାଲିବାନ ଉଗ୍ରପନ୍ଥୀଙ୍କ ବିରୋଧରେ ଲଢ଼େଇ ଜାରି ରଖିଥିଲା। ଏହା ଆମେରିକା ଇତିହାସରେ ଦୀର୍ଘତମ ଯୁଦ୍ଧ।

Share