ତାଲିବାନ ସହିତ ଆମେରିକା ଶାନ୍ତିଚୁକ୍ତି: ବଢ଼ିବ ଭାରତର ସମସ୍ୟା; ପାକିସ୍ତାନ ପାଇଁ ସୁଯୋଗ

ଓ୍ବାଶିଂଟନ,୨୨।୨: ଆମେରିକା ଆଫଗାନିସ୍ତାନ ଆତଙ୍କବାଦୀ ସଂଗଠନ ତାଲିବାନ ସହିତ ଶାନ୍ତିଚୁକ୍ତିି କରିବା ଲାଗି ଯୋଜନା କରିଛି। ଫେବୃୟାରୀ ୨୯ରେ ଏହି ଚୁକ୍ତି ହେବ ବୋଲି କୁହାଯାଉଛି। ଇତିମଧ୍ୟରେ ଫେବୃୟାରୀ ୨୨ଠାରୁ ସଙ୍ଘର୍ଷ ବିରାମ ଆରମ୍ଭ ହୋଇଥିବା ଆଫଗାନିସ୍ତାନ ରାଷ୍ଟ୍ରୀୟ ସୁରକ୍ଷା ସମିତି ପ୍ରବକ୍ତା ଜାବେଦ୍‌ ଫୈସଲ ସୂଚନା ଦେଇଛନ୍ତି। ଆମେରିକା ସୈନ୍ୟ ଏବଂ ତାଲିବାନ ମଧ୍ୟରେ କ୍ରମାଗତ ହିଂସା କମିବାରେ ଲାଗିଥିବା ସେ କହିଛନ୍ତି। ତେବେ ଏହି ଶାନ୍ତିଚୁକ୍ତି ଦ୍ୱାରା ଭାରତର ସମସ୍ୟା ବଢ଼ିବ ବୋଲି ଆନୁମାନ କରାଯାଉଛି। ତାଲିବାନ ଯୋଗୁ ଆଫଗାନିସ୍ତାନର ନବନିର୍ବାଚିତ ସରକାରଙ୍କ ପାଇଁ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏଭଳି ହେଲେ ଭାରତର କେତେକ ପରିଯୋଜନା ପ୍ରଭାବିତ ହେବ। ଫଳରେ ପଶ୍ଚିମ ଏସିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟଧାରାରେ ବାଧା ଉତ୍ପନ୍ନ ହେବାର ଆଶଙ୍କା ରହିବ। ଅପରପକ୍ଷରେ ଶାନ୍ତିଚୁକ୍ତି ଯୋଗୁ ଆମେରିକା ସୈନ୍ୟ ଆଫଗାନିସ୍ତାନରୁ ସ୍ବଦେଶ ଫେରିବା ଆରମ୍ଭ କରିବେ। ଏହା ପାକିସ୍ତାନ ଲାଗି ନୂଆ ସୁଯୋଗ ସୃଷ୍ଟି କରିବ। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ତାଲିବାନ ସହାୟତାରେ ସହଜରେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କାର୍ଯ୍ୟ ଜାରି ରଖିବାକୁ ସକ୍ଷମ ହେବ ବୋଲି କୁହାଯାଉଛି।

Share