ତାଳଚେର କୋଭିଡ୍‌ ଡାକ୍ତରଖାନା ପ୍ରସ୍ତୁତ

ତାଳଚେର, ୨୧ା୪(ନି.ପ୍ର.)

ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍‌ପିଟାଲରେ ସୋମବାର ସ୍ବତନ୍ତ୍ର କୋଭିଡ-୧୯ ଡାକ୍ତରଖାନା ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ। ଏହି ହସ୍‌ପିଟାଲ ଉଦ୍‌ଘାଟନ ପୂର୍ବରୁ ଏମ୍‌ସିଏଲ୍‌, ସମ୍‌ ହସ୍ପିଟାଲ ଏବଂ ଜିଲା ପ୍ରଶାସନ ମଧ୍ୟରେ କୋଭିଡ-୧୯ ଡାକ୍ତରଖାନାର ସୁପରିଚାଳନା ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଏଠାରେ କରୋନା ରୋଗୀଙ୍କ ପାଇଁ ୧୫୦ଟି ବେଡ୍‌ ସହ ୬ଟି ଆଇସିୟୁ ଶଯ୍ୟା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଅଶୋକ ମହାପାତ୍ର, ପ୍ରଫେସର ଡ. ଈଶ୍ୱର ଚନ୍ଦ୍ର ବେହେରା, ତାଳଚେର ଉପଜିଲାପାଳ ରଜନୀକାନ୍ତ ସ୍ବାଇଁ, ସେଣ୍ଟ୍ରାଲ ହସ୍‌ପିଟାଲ ସିଏମ୍‌ଏସ୍‌ ଡା଼. ମନୋଜ ବେହେରା, ଜଗନ୍ନାଥ କ୍ଷେତ୍ର ଜିଏମ୍‌ ଏମ.ଜି. ବ୍ରହ୍ମପୁରକରଙ୍କ ସମେତ ପ୍ରଶାସନିକ ଅଧିକାରୀ, ଏମସିଏଲ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଏହି କୋଭିଡ-୧୯ ଡାକ୍ତରଖାନା ଏମ୍‌ସିଏଲ୍‌ ଅନୁଦାନରେ ନିର୍ମିତ ହୋଇଥିବାବେଳେ ସମ୍‌ ହସ୍ପିଟାଲ ପକ୍ଷରୁ ପରିଚାଳନା କରାଯିବ।

Share