ତାସ୍‌ ନ ଖେଳିବାକୁ ବାଗ୍‌ଚୀଙ୍କ ପରାମର୍ଶ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ହେଉଛି ବଡ଼ ଅସ୍ତ୍ର। ରାଜ୍ୟ ସରକାର ବାରମ୍ବାର ଏହାକୁ ଗୁରୁତ୍ୱ ଦେଉଥିବାବେଳେ ଅନେକ ପାଳନ କରୁନାହାନ୍ତି। ଲକ୍‌ଡାଉନ୍‌ ସମୟରେ ବିଶେଷକରି ଗ୍ରାମାଞ୍ଚଳରେ ତାସ୍‌ ଖେଳ ଆସର ଜମିଥିବା ଖବର ସରକାରଙ୍କ ଦୃଷ୍ଟିଗୋଚର ହୋଇଛି। ତାସ୍‌, ପଶାପାଲି ଖେଳରେ ସାମାଜିକ ଦୂରତ୍ୱ ଭଙ୍ଗ ହେଉଛି। ତେଣୁ ଏଥିରୁ ନିବୃତ୍ତ ରହିବା ପାଇଁ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ଶନିବାର ଗଣମାଧ୍ୟମକୁ ସୂଚନା ଦେବା ସମୟରେ ବାଗ୍‌ଚୀ ଜନସାଧାରଣଙ୍କୁ ଏହି ପରାମର୍ଶ ଦେବାସହ କାଶ, ଛିଙ୍କରୁ କିପରି କୋଭିଡ୍‌-୧୯ ଭୂତାଣୁ ବ୍ୟାପିପାରେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସାଙ୍ଗସାଥୀ ମେଳରେ ଯେବେ ତାସ୍‌ ପସରା ଖୋଲିଥାଏ ସେତେବେଳେ ଆମେ ସାମାଜିକ ଦୂରତାକୁ ଭୁଲି ଯାଇଥାଉ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ସାଙ୍ଗଙ୍କୁ କାଶ, ଛିଙ୍କ ହୋଇଥାଏ ତେବେ ଏହା ଅନ୍ୟମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। କାଶିଲେ ଏହାର ଗୋଟିଏ କଣିକା ୧୯ ଫୁଟ୍‌ ପର୍ଯ୍ୟନ୍ତ ଗତି କରିପାରେ। ଆଉ ଛିଙ୍କିଲେ ୨୯ ଫୁଟ୍‌ ପର୍ଯ୍ୟନ୍ତ କଣିକା ଯାଇପାରେ। ତେଣୁ ବର୍ତ୍ତମାନର ସଂକଟ ସମୟ ଟିଳିଯିବା ପର୍ଯ୍ୟନ୍ତ ତାସ୍‌, ପଶାଖେଳ ଖେଳନ୍ତୁ ନାହିଁ ବୋଲି ବାଗ୍‌ଚୀ ଅନୁରୋଧ କରିଛନ୍ତି।

Share