Categories: ଖେଳ

ତିଓ୍ବାରୀଙ୍କ ସ୍ଥାନରେ ଈଶ୍ୱରନଙ୍କୁ ବେଙ୍ଗଲର ନେତୃତ୍ୱ

କୋଲକାତା,୩୧।୮: ଆଗାମୀ ଘରୋଇ କ୍ରିକେଟ ସିଜନରେ ଅଭିମନ୍ୟୁ ଈଶ୍ୱରନ ବେଙ୍ଗଲ ଦଳର ନେତୃତ୍ୱ ନେବେ। ମଙ୍ଗଳବାରଠାରୁ ଜୟପୁରଠାରେ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫି ଲାଗି ଈଶ୍ୱରନଙ୍କ ନେତୃତ୍ୱରେ ୨୧ ଜଣିଆ ବେଙ୍ଗଲ ଦଳ ଘୋଷଣା ହୋଇଛି। ସେ ପୂରା ସିଜନରେ ଦଳର ଅଧିନାୟକତ୍ୱ ସମ୍ଭାଳିବେ ବୋଲି ସ୍ପଷ୍ଟ କରାଯାଇଛି। ସୁଦୀପ ଚାଟାର୍ଜୀ ଉପ ଅଧିନାୟକ ମନୋନୀତ ହୋଇଛନ୍ତି। ପୂର୍ବତନ ଅଧିନାୟକ ମନୋଜ ତିଓ୍ବାରୀଙ୍କୁ ଦଳରେ ସ୍ଥାନ ମିଳିଛି। ଆମେ ନେତୃତ୍ୱ ପରିବର୍ତ୍ତନ କରିବା ନେଇ ତିଓ୍ବାରୀଙ୍କ ସହ ଆଲୋଚନା କରିଥିଲୁ। ଖେଳାଳି ଭାବେ ଦଳୀୟ ପ୍ରଦର୍ଶନରେ ଯୋଗଦାନ କରିବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ ସିନିୟର ଭାବେ ଈଶ୍ୱରନଙ୍କୁ ଗାଇଡ୍‌ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି ବୋଲି ସିଏବି ଯୁଗ୍ମ ସମ୍ପାଦକ ଅଭିଷେକ ଡାଲମିଆ କହିଛନ୍ତି। ଏବେ ଦୁଲୀପ ଟ୍ରଫି ଖେଳୁଥିବା ଈଶ୍ୱରନ କହିଛନ୍ତି, ଏହା ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ମୋ ଆଡ଼ୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଉ୍ୟଦମ କରିବି। ଆସନ୍ତା ୨୪ ତାରିଖରେ ବିଜୟ ହଜାରେ ଟ୍ରଫିରେ ବେଙ୍ଗଲ ତା’ର ପ୍ରଥମ ମ୍ୟାଚ୍‌ରେ ଗୁଜରାଟକୁ ଭେଟିବ।

Share