ତିଗିରିଆରେ ହେବ ଆଦର୍ଶ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ଗବେଷଣା କେନ୍ଦ୍ର

ଭୁବନେଶ୍ୱର, ୧୯ା୯(ବ୍ୟୁରୋ)- କଟକ ଜିଲା ତିଗିରିଆଠାରେ ଖୁବ୍‌ ଶୀଘ୍ର ଏକ ଆଦର୍ଶ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ଗବେଷଣା କେନ୍ଦ୍ର (ମଡେଲ୍‌ ରୁରାଲ୍‌ ହେଲ୍‌ଥ ରିସର୍ଚ୍ଚ ୟୁନିଟ୍‌) କାର୍ଯ୍ୟକ୍ଷମ ହେବ। ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୁରୁବାର ଏହି ସୂଚନା ଦେଇଛନ୍ତି। ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଗବେଷଣା କରିବା ଲକ୍ଷ୍ୟରେ ଏହି କେନ୍ଦ୍ରଟି ପ୍ରତିଷ୍ଠା କରାଯାଉଛି। ଗବେଷଣା କେନ୍ଦ୍ରର କୋଠାବାଡ଼ି ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ଏଥିରେ ଆବଶ୍ୟକ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଉଥିବା ଜଣାପଡିଛି।
କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଏହି ପ୍ରକଳ୍ପ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଅବଗତି
ନିମନ୍ତେ ମଡେଲ୍‌ ରୁରାଲ୍‌ ହେଲ୍‌ଥ ରିସର୍ଚ୍ଚ ୟୁନିଟ୍‌ରେ ମିଳିବାକୁ ଥିବା ସୁବିଧା ସୁଯୋଗ ସଂପର୍କରେ ବିବରଣୀ ପୁସ୍ତିକା ପ୍ରକାଶ କରିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ପ୍ରସ୍ତାବ ଦେଇଛନ୍ତି। ତିଗିରିଆରେ ସର୍ଭିକାଲ୍‌ କ୍ୟାନସର ରୋଗର ଆଗୁଆ ନିରୂପଣ ଦିଗରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ପକ୍ଷରୁ ସ୍ବାସ୍ଥ୍ୟ ଶିବିର ଆୟୋଜନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ-ରିଜିଓନାଲ୍‌ ମେଡିକାଲ୍‌ ରିସର୍ଚ୍ଚ ସେଣ୍ଟର, ଭୁବନେଶ୍ୱର ପକ୍ଷରୁ ତିଗିରିଆ ଓ ଆଠଗଡ଼ଠାରେ ହେଲ୍‌ଥ ଡେମୋଗ୍ରାଫିକ୍‌ ସର୍ଭେଲାନ୍ସ ସିଷ୍‌ଟମ୍‌ ପ୍ରତିଷ୍ଠା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ଏଥି ସହିତ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ଏସ୍‌, ଭୁବନେଶ୍ୱରର ବୈଜ୍ଞାନିକ ପରାମର୍ଶଦାତା କମିଟି ସ୍ଥାନୀୟ ଆବଶ୍ୟକତାକୁ ନେଇ ୧୬ଟି ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିବାବେଳେ ବର୍ତ୍ତମାନ ୫ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

Share