ତିତ୍‌ଲିରେ ଧୋଇଯାଇଛି କଳିଙ୍ଗକୁ ରାସ୍ତା: ବର୍ଷକ ପରେ ବି ପଦକ୍ଷେପ ଶୂନ

ପାରଳାଖେମୁଣ୍ଡି,୨ା୧୨(ସ୍ବ.ପ୍ର.)- ୨୦୧୮ ତିତ୍‌ଲି ବାତ୍ୟାରେ ଗଜପତି ଜିଲା ପ୍ରଭାବିତ ହେବା ସହ ରାୟଗଡ଼ ବ୍ଲକ୍‌ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟା ପରବର୍ତ୍ତୀ ବର୍ଷାରେ ସମସ୍ତ ନଦୀ ନାଳ ଭର୍ତ୍ତି ହୋଇ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରବଳ ବର୍ଷା ଯୋଗୁ ରାୟଗଡ଼ ବ୍ଲକ୍‌ ଅଧୀନ କଳିଙ୍ଗ ଗ୍ରାମ ନିକଟରେ ମହେନ୍ଦ୍ରତନୟା ନଦୀରୁ ବାହାରୁଥିବା ଏକ ନାଳ ସହ ନିକଟରେ ଥିବା ରାଇସିଂ ନାଳ ଓ ସୁଆବା ନାଳର ମିଶ୍ରଣ ଘଟିଥିଲା ା ଫଳରେ କଳିଙ୍ଗ ଗ୍ରାମ ନିକଟରେ ଥିବା ସେହି ନାଳ ଉଗ୍ର ରୂପ ଧାରଣ କରିବା ଯୋଗୁ ଅସ୍ଥାୟୀ ରାସ୍ତାଟିି ସମ୍ପୂର୍ଣ୍ଣ ଧୋଇଯାଇଥିଲା। ଯଦ୍ଦ୍ବାରା କଳିଙ୍ଗ ଗ୍ରାମକୁ ଗମନାଗମନ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିଲା। ଏହା ଜନଜାତି ସମ୍ପ୍ରଦାୟଙ୍କ ଗ୍ରାମ ହୋଇଥିବାବେଳେ ୩୦ ପରିବାରର ୧୫୦ରୁ ଉଦ୍ଧ୍ୱର୍ର୍ ଲୋକ ଏଠାରେ ବସବାସ କରୁଛନ୍ତି। ଇତିମଧ୍ୟରେ ତିତ୍‌ଲିକୁ ବର୍ଷେ ପୂରିଥିଲେ ମଧ୍ୟ ଗମନାଗମନ ବ୍ୟବସ୍ଥାରେ ସୁଧାର ଆସିପାରିନାହିଁ।
ଗ୍ରାମବାସୀ ଏହି ରାସ୍ତାଦେଇ ଯାତାୟତ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନାଳ ପାଣିରେ ପଶି ଦୈନନ୍ଦିନ କାର୍ଯ୍ୟ ପାଇଁ ଲୋକେ ଯିବାକୁ ବାଧ୍ୟ ହେଉଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଜରୁରୀ ସମୟରେ ଗ୍ରାମକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନାହିଁ। ଫଳରେ ରୋଗୀଙ୍କୁ ମଧ୍ୟ ଉକ୍ତ ନାଳ ପାଣିରେ ବୋହି ନିଆଯାଉଛି। ସେହିପରି ଗମନାଗମନ ସମସ୍ୟା ଯୋଗୁ ଗାଁର ପିଲାଙ୍କ ପାଠପଢାରେ ମଧ୍ୟ ବାଧା ସୃଷ୍ଟି ହେଉଛି। ବୃଦ୍ଧାବୃଦ୍ଧମାନେ ନାଳ ମଧ୍ୟ ଦେଇ ଯାଇପାରୁନାହାନ୍ତି। ଅସରାଏ ବର୍ଷା ହେଲେ ନାଳଟି ଫୁଲିବା ଯୋଗୁ ଗ୍ରାମବାସୀଙ୍କୁ ଏକପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିବାକୁ ପଡ଼ୁଛି ବୋଲି ଗାଁ ଲୋକେ କହିଛନ୍ତି। କେତେକ ଗ୍ରାମବାସୀ ଚାନ୍ଦାକରି ନାଳ ଉପରେ ପଥର ପକାଇ କାମଚଳା ରାସ୍ତା ତିଆରି କରି ଯାତାୟାତ କରୁଛନ୍ତି। ତେଣୁ ଏହି ନାଳ ଉପରେ ଏକ ପୋଲ ନିର୍ମାଣ କରିବା ପାଇଁ ସରୁ ଧାଙ୍ଗଡ଼ା ଭୁୟାଁ, ସୋମନାଥ ଭୁୟାଁ, ତ୍ରିନାଥ ଶବର, ନୃସିଂହନାଥ ଭୁୟାଁ, ଗଜେନ୍ଦ୍ର ଭୁୟାଁ, ମଙ୍ଗଳା ମଣ୍ଡଳ, ଶ୍ୟାମ ଭୁୟାଁ ପ୍ରମୁଖ ଗ୍ରାମବାସୀ ଦାବି ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ତିତ୍‌ଲି ସମୟରେ ଗ୍ରାମର ୩୦ ପରିବାର ମଧ୍ୟରୁ ମାତ୍ର ୯ ପରିବାର ବାତ୍ୟା ସହାୟତା ପାଇଥିବାବେଳେ ଅନ୍ୟମାନେ ଏ ପର୍ଯ୍ୟନ୍ତ ସହାୟତା ଅପେକ୍ଷାରେ ରହିଥିବା କହିଛନ୍ତି।