ତିତ୍‌ଲିର ବର୍ଷେ ପରେ ବି ନିର୍ମାଣ ହୋଇପାରୁନି ରାସ୍ତା

ପାରଳାଖେମୁଣ୍ଡି,୨୪ା୨(ସ୍ବ.ପ୍ର.) ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଅଧୀନ କଇଁପୁର-ତୁମ୍ବ ରାସ୍ତାଟି ତିତ୍‌ଲି ପର ବନ୍ୟାରେ ଧୋଇ ହୋଇଯାଇଛି। ହେଲେ ତିତ୍‌ଲିକୁ ଇତିମଧ୍ୟରେ ୧ବର୍ଷ ୪ମାସ ବିତିଯାଇଥିଲେ ମଧ୍ୟ ନୂତନ ରାସ୍ତା କିମ୍ବା ମରାମତି ହୋଇପାରିନାହିଁ। ତିତ୍‌ଲିରେ ଗଜପତି ଜିଲାର ରାୟଗଡ଼ ବ୍ଲକ୍‌ ବିଶେଷ ପ୍ରଭାବିତ ହୋଇଥିବାବେଳେ କଇଁପୁର ଠାରୁ ତୁମ୍ବ ପର୍ଯ୍ୟନ୍ତ ୩ କିମି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଯଦ୍ଦ୍ବାରା ଏହି ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ତିତ୍‌ଲି ପରେ ଜିଲାରେ ନଷ୍ଟ ହୋଇଥିବା କେତେକ ରାସ୍ତା ନିର୍ମାଣ ଓ ମରାମତି କରାଯାଇଥିଲା। ହେଲେ ଏହି ରାସ୍ତା ପ୍ରତି ଦୃଷ୍ଟି ପଡ଼ିନାହିଁ। ଏହି ରାସ୍ତା ଉପରେ କେରାଣ୍ଡି, ଓୟା, ତୁମ୍ବ ଆଦି ବିଭିନ୍ନ ପଞ୍ଚାୟତବାସୀ ନିର୍ଭରଶୀଳ। ଜିଲା ସଦର ପାରଳାଖେମୁଣ୍ଡିକୁ ଯିବା ପାଇଁ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ହେଲେ ରାସ୍ତାର ଅବସ୍ଥା ଯେପରି ରହିଛି, ଏହି ରାସ୍ତାରେ ଯାନବାହନ ଯାତାୟାତରେ ଅସୁବିଧା ହେଉଥିବା ସେମାନେ କହିଛନ୍ତି। ତେଣୁ ଏଠାରେ ନୂତନ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ପଞ୍ଚାୟତର ଗ୍ରାମବାସୀ ଦାବି କରିଛନ୍ତି।

Share