ତିନିଦିନ ହେଲା ଟେନ୍‌ସା କଲେଇପୋଷ ରାସ୍ତା ଜାମ : ଦୁର୍ଦ୍ଦଶାରେ ୫୦ହଜାର ଜନସାଧାରଣ

ଟେନ୍‌ସା, ୯।୨ (ଡି.ଏନ.ଏ)- ତିନି ଦିନ ହେଲା ଲଗାଣ ବର୍ଷା ଯୋଗୁ ପୂର୍ତ୍ତବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ସୁନ୍ଦରଗଡ଼ ଜିଲା କୋଇଡ଼ାର ବରସୁଆଁ ନୂଆପୋଲର ଉଭୟ ପାର୍ଶ୍ୱ ଶୋଚନୀୟ ହୋଇଛି। ଫଳରେ ଗାଡ଼ିମୋଟର ଦୁଇଦିନ ଧରି ଜାମ ରହିଛି। ଅଞ୍ଚଳର ୫୦ ହଜାର ଜନସାଧାରଣ ଦୁଃଖଦୁର୍ଦ୍ଦଶା ଭୋଗ କରୁଛନ୍ତି। ପୋଲର ଉଭୟ ପଟରେ ନୂଆକରି ମାଟି ପକାଯାଇଛି। ପୂର୍ତ୍ତ ବିଭାଗର ଖାମଖିଆଲି କାମ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତିନି ଦିନ ହେଲା ଉଭୟ ପାର୍ଶ୍ୱରେ ୧୦ହଜାରରୁ ଊର୍ଦ୍ଧ୍ୱ ଗାଡି ଛିଡା ହୋଇଛି। ଗାଡିର ଡ୍ରାଇଭର ହେଲପର ତିନିଦିନ ହେଲା ଜଙ୍ଗଲ ମଧ୍ୟରେ ଗାଡି ଛାଡି ଯାଇ ପାରୁନାହାନ୍ତି। ଭୋକ ଉପାସରେ ଦୟନୀୟ ଅବସ୍ଥାରେ ପଡିରହିଛନ୍ତି। କୌଣସି ପ୍ରଶାସନିକ ଅଧିକାରୀ କି ପୂର୍ତ୍ତବିଭାଗ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ପରିସ୍ଥିତି ଭୟାବହ ହୋଇପଡିଛି। କୌଣସି ଗାଡି ଚଳାଚଳ କରିପାରୁନାହିଁ। ଯାତ୍ରୀବାହି ବସଠାରୁ ଆରମ୍ଭ କରି ଦୁଇ ଚକିଆ, ଚାରିଚକିଆ ଯାନ ମଧ୍ୟ ଯାମରେ ଫଶି ରହିଛି। ଏହି ରାସ୍ତା ଉପରେ ନିର୍ଭର କରୁଥିବା କୋଇଡା, ଲହୁଣୀପଡା ବ୍ଲକର ୫୦ ହଜାର ଜନସାଧାରଣ ଅସୁବିଧା ଭୋଗ କରୁଛନ୍ତି। ରାସ୍ତା ତିନି ଦିନ ଜାମ ଯୋଗୁ ବେପାର ବାଣିଜ୍ୟଠାରୁ ଆରମ୍ଭ କରି ସାମଗ୍ରୀ ପରିବହନ ବନ୍ଦ ରହିଛି। ଅଞ୍ଚଳର ଲୋକେ ଦୈନନ୍ଦିନ ଜରୁରୀ ସାମଗ୍ରୀ ପାଇ ପାରୁନାହାନ୍ତି । ରୋଗୀ ବଣାଇ, ଲହୁଣୀପଡା, ରାଉରକେଲା ଯାଇପାରୁନାହାନ୍ତି। ଜିଲା ଖଣିଜ ପାଣ୍ଠି ସହାୟତରେ ପୂର୍ତ୍ତବିଭାଗ ଦାୟିତ୍ୱରେ ଉକ୍ତ ପୋଲ ନିର୍ମାଣ ପାଇଁ ଠିକାଦାର ନିଯୁକ୍ତି କରାଯାଇଥିଲା। ପୋଲ ନିର୍ମାଣ ପରେ ଉଭୟ ପାର୍ଶ୍ୱରେ ଯେଉଁ ମାଟି ଢଳା ହେଲା ତାହା ଠିକ ଭାବେ କାମ କରାଗଲା ନାହିଁ । କି ପଥର କ୍ବାରି ହେଲା ନାହିଁ । ବର୍ଷା ହେବା ଯୋଗୁ ମାଟି ଧସିକିବା ସହ ତକଳୁ ଦବି ଗଲା । ଏଥିରେ ମୋରମ ଢାଳି ରାସ୍ତାକୁ ଠିକ କରିବା କଥା । ତାହା ନ ହେବା ଯୋଗୁ ଗତ ତିନି ଦିନ ହେଲା ରାସ୍ତା ଜାମ ରହିଛି । କେବେ ଜାମ ହଟିବ ତାହା ଜଣାନାହିଁ। ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ବରସୁଆଁ, ଟେନ୍‌ସାବାସୀ ଦାବି କରିଛନ୍ତି।

Share