ତିନିଦିନ ହେଲା ସ୍କୁଲରେ ତାଲା, ଡିଇଓ କହିଲେ ଜାଣିନାହିଁ

କେନ୍ଦୁଝର, ୨୭ା୨(ସ୍ବ.ପ୍ର.): ସରକାର ଉତ୍ତମ ଶିକ୍ଷାଦାନ ପାଇଁ ବିଭିନ୍ନ ଯୋଜନା ଲାଗୁ କରୁଥିବା ବେଳେ କେନ୍ଦୁଝରରେ ଉପଯୁକ୍ତ ତଦାରଖ ଅଭାବରୁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସାହାରପଡ଼ା ବ୍ଲକ ବାଇକଳା ଗ୍ରାମରେ ଥିବା ମହାପାଟ ଉଚ୍ଚ ବିଦ୍ୟାଳୟରେ ୩ ଦିନ ହେଲା ତାଲା ପଡିଛି। ମାତ୍ର ଏହି ଘଟଣାକୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ) କପିଳେନ୍ଦ୍ର ମିଶ୍ର ଜାଣିନାହାନ୍ତି। କିଏ ତାଲା ପକାଇଲା ଓ କାହିଁକି ପକାଇଲା ବୋଲି ଓଲଟା ଡିଇଓ ପ୍ରଶ୍ନ କରିଛନ୍ତି। ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ ଅଭିଯୋଗକୁ ନେଇ ଖୋଦ ସାହାରପଡ଼ା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ତଦନ୍ତ ରିପୋର୍ଟ ଦେଇଥିଲେ ହେଁ ଏହାକୁ ଚାପି ରଖାଯାଇଥିବା ଜଣାପଡିଛି । ଏହାକୁ ନେଇ ଗୁରୁବାର ବାଧ୍ୟ ହୋଇ ଗ୍ରାମବାସୀ ୫-ଟି (ମୋ ସରକାର)ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଜିଲାପାଳଙ୍କୁ ଜଣାଇଛନ୍ତି। ଜିଲାପାଳ ନ ଶୁଣିଲେ ଗ୍ରାମବାସୀ ୫-ଟି ସଚିବଙ୍କୁ ଲିଖିତ ଭାବେ ଜଣାଇବେ ବୋଲି ଗ୍ରାମବାସୀ କହିଛନ୍ତି।
ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ବିଇଓ ଏବଂ ଡିଇଓଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏ ନେଇ ବିଇଓ, ସାହାରପଡ଼ା ଯାଞ୍ଚକରି ଦେଇଥିବା ରିପୋର୍ଟରେ ପ୍ରଧାନଶିକ୍ଷକ ସହଯୋଗ କରୁନାହାନ୍ତି। ଏଣୁ ଗ୍ରାମବାସୀ ଅସନ୍ତୁଷ୍ଟ । ଏ ନେଇ ବିଇଓଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ ଉଠାଇ ନ ଥିବାରୁ ମତାମତ ମିଳିନାହିଁ ।