Categories: ରାଜ୍ୟ

ତିନିରଥର ପଟାଗୁଜ ଖୋଦେଇ ଆରମ୍ଭ

ପୁରୀ ଅଫିସ,୧୯ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥ ନିର୍ମାଣ। ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ୪ ନାହାକ ଉଠିଥିଲା। ମଙ୍ଗଳବାର ତିନି ରଥରେ ପଟାଗୁଜ କାମ ଆରମ୍ଭ ହୋଇଛି। ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୧୨ଟି ଏବଂ ଦର୍ପଦଳନ ରଥର ୮ଟି ପଟାଗୁଜ ଖୋଦେଇ କରାଯିବ। ନନ୍ଦିଘୋଷ ରଥର ରୂପକାର ରାଜେନ୍ଦ୍ର ମହାପାତ୍ର କହିଛନ୍ତି, ରଥରେ ପଟାଗୁଜ କାମ ଆରମ୍ଭ ହୋଇଛି। ଏଥିରେ ନରବିରାଳ, ସିଂହବିରାଳ ଓ ଗଜବିରାଳ ଖୋଦେଇ କରାଯାଏ। ଏହା ୧୮ଇଞ୍ଚ ଲମ୍ବ ଏବଂ ୭ଇଞ୍ଚ ଚଉଡ଼ା ହୋଇଥାଏ। ପ୍ରଥମେ କାଠରେ ଚିତ୍ର ଅଙ୍କନ କରାଯାଏ। ପରେ ସେଥିରେ ଖୋଦେଇ କରାଯାଏ ବୋଲି ସେ କହିଛନ୍ତି। ଏହା ସରିବା ପରେ ସିଂହାସନ ଓ ନାଟଗୋଡ଼ କାମ ଆରମ୍ଭ ହେବ। ସେହିପରି ରଥଖଳାରେ ଛନ୍ଦା ଗୟଲ କାଠର ଚଉପଟ ଚାଲିଥିବା ରଥ ଅମିନ ଲକ୍ଷ୍ମଣ ମହାରଣା କହିଛନ୍ତି। ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି, ତିନିରଥର ଛନ୍ଦା ଗୟଲ ମୋଡ଼ା ଚାଲିଛି। ଆଗକୁ ପ୍ରଥମ ଭୂଇଁ ଉଠିବ। ସେଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଅନ୍ୟପଟେ ଦୋଳବେଦୀରେ କମାର ସେବକ ଗୟଲ କଣ୍ଟା ତିଆରିରେ ଲାଗିଛନ୍ତି।

Share