ତିନିରଥର ଶୋଭା ବଢାଏ ୯୬ ପିତ୍ତଳ ସାମଗ୍ରୀ

ପୁରୀ ଅଫିସ,୨।୭: ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ଅନୁଯାୟୀ ମହାପ୍ରଭୁଙ୍କ ସେବାରେ ୧୧୯ ପ୍ରକାର ସେବକ ଅଛନ୍ତି। ହେଲେ ଏଥିମଧ୍ୟରୁ ଅନେକ ସେବା ପ୍ରାୟ ବନ୍ଦ ହୋଇଯାଇଛି। କିନ୍ତୁ ଏମିତି ଏକ ପରିବାର ଅଛି, ସେମାନେ ଶ୍ରୀମନ୍ଦିରର ସେବକ ନ ହେଲେ ବି ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇଛନ୍ତି। ରଥଯାତ୍ରା ଆସିଲେ ଏହି ପରିବାରକୁ ଖୋଜାପଡ଼େ। ସିଦ୍ଧ ମହାବୀର ଅଞ୍ଚଳ ଯାଗେଶ୍ୱରୀ ଲେନ୍‌ର ସାଗର ସାହୁଙ୍କ ପରିବାର ବର୍ଷକୁ ମାତ୍ର ୧୫ଦିନ ଦାରୁବିଗ୍ରହଙ୍କ ସେବାରେ ନିଜକୁ ସମର୍ପି ଦିଅନ୍ତି। ତିନିରଥର ଶୋଭାବର୍ଦ୍ଧନ କରୁଥିବା ପିତ୍ତଳ ସାମଗ୍ରୀକୁ ମାଜି ଚକ୍‌ ଚକ୍‌ କରନ୍ତି। ଦୀର୍ଘବର୍ଷ ହେଲା ଏହି ସେବା କରିଆସୁଛନ୍ତି ସାଗରଙ୍କ ପରିବାର। ପୂର୍ବରୁ ତାଙ୍କ ବାପା ଏହି କାର୍ଯ୍ୟ କରୁଥିଲେ। ଏବେ ସେ ଦାୟିତ୍ୱ ସମ୍ଭାଳୁଥିବାବେଳେ ପ୍ରଥମକରି ଚଳିତବର୍ଷ ପୁଅ ଦେବାଶିଷ(୨୦)ଙ୍କୁ ଏଥିରେ ସାମିଲ କରିଛନ୍ତି। ବଡଦାଣ୍ଡରେ ରଥ ଗଡୁଥିବାବେଳେ ଶ୍ରଦ୍ଧାଳୁଙ୍କ ନଜର ପଡ଼େ ରଥକନା ଉପରେ ଲାଗିଥିବା ମାଛ, ଯୋଡ଼ିହଂସ, ମଗରମୁଣ୍ଡ, ସଖୀ, କଦଳୀ ଗଛ ଓ ରାହୁମୁଣ୍ଡ ଉପରେ। ଏସବୁ କାରୁକାର୍ଯ୍ୟ ସାମଗ୍ରୀ ପିତ୍ତଳରେ ନିର୍ମିତ। ଏଗୁଡ଼ିକୁ ସାଗରଙ୍କ ପରିବାର ସଫା ଓ ମରାମତି କରିଥାନ୍ତି।
ଏ ସମ୍ପର୍କରେ ସାଗର କୁହନ୍ତି, ବୃତ୍ତିରେ ଆମେ କଂସାରୀ। ରଥରେ ଲାଗୁଥିବା ପିତ୍ତଳ ସାମଗ୍ରୀକୁ ପ୍ରତିବର୍ଷ ସଫା ଓ ଆବଶ୍ୟକ ମରାମତି କରିବାର ଆମକୁ ସୁଯୋଗ ମିଳିଛି। ନେତ୍ରୋତ୍ସବ ଦିନ କନା ଉପରେ ପିତ୍ତଳ କାରୁକାର୍ଯ୍ୟପୂର୍ଣ୍ଣ ନିର୍ମିତ ମାଛ, ମଗରମୁଣ୍ଡ, ସଖୀ, ଯୋଡ଼ିହଂସ, ରାହୁମୁଣ୍ଡ ଓ କଦଳୀ ଗଛ ଲାଗିଥାଏ। ତିନିରଥରେ ମାଛ ଓ କଦଳୀଗଛ ୨୪ଟି ଲେଖାଏ ଏବଂ ଅନ୍ୟସବୁ ସାମଗ୍ରୀ ୧୨ଟି ଲେଖାଏ ଏହିପରି ମୋଟ ୯୬ଟି ଲାଗିଥାଏ। ସ୍ନାନଯାତ୍ରା ପରଦିନ ଶ୍ରୀମନ୍ଦିର ପ୍ରଶାସନ ଏହି ସାମଗ୍ରୀ ଦେଇଥାନ୍ତି। ଏସବୁକୁ ମେଶିନ ଓ ହାତରେ ସଫା କରାଯାଏ। ମରାମତି ଆବଶ୍ୟକ ହେଲେ ତାହା ମଧ୍ୟ କରିଥାଉ। ସଫା କରିବା ଲାଗି ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ, ତେନ୍ତୁଳିମଣ୍ଡ ବ୍ୟବହାର କରାଯାଏ। ନେତ୍ରୋତ୍ସବ ଦିନ ଏସବୁକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଜିମା ଦେଇଥାଏ। ସେହି ଅନୁସାରେ ମଙ୍ଗଳବାର ଏହି ସାମଗ୍ରୀ ମନ୍ଦିର ପ୍ରଶାସନକୁ ଦିଆଯିବ।
ସାଗର କହିଛନ୍ତି, ଅନେକ ଲୋକ ଅଛନ୍ତି ମହାପ୍ରଭୁଙ୍କ ସେବା କରିବାକୁ ଚାହୁଁଥିଲେ ମଧ୍ୟ ସୁଯୋଗ ପାଆନ୍ତି ନାହିଁ। ଆମ ପରିବାରକୁ ଠାକୁରଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ବହୁତ ଖୁସି। ମହାପ୍ରଭୁ ଆମକୁ ଭଲରେ ରଖିଛନ୍ତି। ସେମିତି କିଛି ଅସୁବିଧା ନାହିଁ। ମୁଁ ବାପାଙ୍କଠାରୁ ସଫା ଓ ମରାମତି କାମ ଶିଖିଥିଲି। ଏ ବର୍ଷ ପୁଅକୁ ଏହି କାମରେ ନିୟୋଜିତ କରିଛି। ସେ ବି ଆଗ୍ରହ ରଖି ମୋତେ ସହଯୋଗ କରିଛି। ଆମ ପରିବାରକୁ ଏମିତି ସେବା କରିବାର ସୁଯୋଗ ମିଳୁଥାଉ, ଏତିକି ହିଁ ମହାପ୍ରଭୁଙ୍କ ନିକଟରେ କାମନା କରୁଛି ବୋଲି ସାଗର ପ୍ରକାଶ କରିଛନ୍ତି।

Share