ତିନିରଥର ୬ ଚକ ନିର୍ମାଣ ଶେଷ

ପୁରୀ ଅଫିସ, ୧୪ା୫: ଆସନ୍ତା ୧୫ ତାରିଖରେ ଶ୍ରୀକ୍ଷେତ୍ର ଭଉଁରୀ। ଏହି ଦିନ ତିନିରଥର ୬ଟି ନାହାକା ଚକ ଡେରା ଯିବାର ବିଧି ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରଥ ନିର୍ମାଣରେ ନିୟୋଜିତ ସେବକମାନେ ନିର୍ମାଣ କାର୍ଯ୍ୟକୁ ଜୋର୍‌ଦାର କରିଛନ୍ତି। ମହାପ୍ରଭୁଙ୍କ ରଥ କିପରି ଠିକ୍‌ ସମୟରେ ପ୍ରସ୍ତୁତ ହୋଇଯିବ ସେଥିପାଇଁ ପ୍ରଚଣ୍ଡ ଖରା ସତ୍ତ୍ବେ ୧୨ରୁ ୧୪ ଘଣ୍ଟା ପରିଶ୍ରମ କରୁଛନ୍ତି। ବୁଧବାର ସୁଦ୍ଧା ରଥଖଳାରେ ପ୍ରତ୍ୟେକ ରଥର ୨ଟି ଲେଖାଏ ଅର୍ଥାତ୍‌ ୬ଟି ଚକ ପ୍ରସ୍ତୁତ ହୋଇଯାଇଛି। ତେଣୁ ଭଉଁରୀରେ ଚକଡେରା ନୀତି ପାଇଁ ମହାରଣା ସେବକମାନଙ୍କର ଯେଉଁ ଚିନ୍ତା ରହିଥିଲା ତାହା ଟଳିଯାଇଛି। ଅନ୍ୟ କାମ ମଧ୍ୟରେ ସମସ୍ତ ୪୨ଟି ତୁମ୍ବ ତିଆରି ସରିଥିବାବେଳେ ୨୫ଟିର ବିନ୍ଧ ଶେଷ ହୋଇଛି। ସେପଟେ ଯନ୍ତାଗାଡ଼ରେ ସିଙ୍ଗଡ଼ା ବାଡ଼ିଆ (ତୁମ୍ବରେ ଅର ସଂଯୋଗ) କାମ ଚାଲିଛି। ବୁଧବାର ୮ଟି ତୁମ୍ବରେ ଅର ସଂଯୋଗ ହୋଇଛି। ଏ ପର୍ଯ୍ୟନ୍ତ ମୋଟ ୧୪ଟି ତୁମ୍ବରେ ଅର ସଂଯୋଗ କରାଯାଇଛି। ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୩ଟି ଲେଖାଏ ଏବଂ ଦର୍ପଦଳନ ରଥର ୨ଟି ତୁମ୍ବରେ ଅର ସଂଯୋଗ କରାଯାଇଥିବା ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି।
ସେହିପରି ରଥଖଳାରେ ରୂପକାର ସେବକମାନେ କଣଗୁଜ ଖୋଦେଇ କରୁଛନ୍ତି। ଦୋଳବେଦି ପରିସର କମାରଶାଳରେ କମାର ସେବକମାନେ ଅରକଣ୍ଟା, ପନ୍ଦାରୀ, ପନ୍ଦାରୀ ଚାବି, ବଳା ଆଦି ତିଆରି କରୁଛନ୍ତି। ରଥଖଳାରେ ଗୁଜ, କୁଡୁକା, ଜଳଯନ୍ତ୍ର ତିଆରି ଚାଲିଛି। ଅନ୍ୟପକ୍ଷରେ ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ୧୬୨ ଜଣ ସେବକଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି। ସମସ୍ତ ସେବକ ସୁସ୍ଥ ଅଛନ୍ତି।

Share