Categories: ଜାତୀୟ

ତିନି ପାଦ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୨ା୩: ୨୦୩୦ ମସିହା ବେଳକୁ ଭାରତ ଯେଉଁ ବିକାଶ ଲକ୍ଷ୍ୟ ରଖିଥିଲା ତାହା ପୂରଣ ହେବାପରି ମନେହେଉନାହିଁ। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନମେଣ୍ଟସ୍‌ ଷ୍ଟେଟ୍‌ ଅଫ୍‌ ଇଣ୍ଡିଆନ୍ସ ଏନ୍‌ଭାଇରନମେଣ୍ଟ ରିପୋର୍ଟ ୨୦୨୨ରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ପାକିସ୍ତାନକୁ ଛାଡ଼ିଦେଲେ ଦକ୍ଷିଣ ଏସିଆର ସବୁ ଦେଶ ଭାରତକୁ ପଛରେ ପକାଇ ଦେଇଛନ୍ତି।
୨୦୨୧ରେ ଭାରତ ଏହି ସୂଚୀରେ ୧୧୭ ନମ୍ବର ସ୍ଥାନରେ ଥିବାବେଳେ ଚଳିତ ବର୍ଷ ତିନି ପାଦ ତଳକୁ ଖସିଆସିଛି। ସଦ୍ୟ ରିପୋର୍ଟ ଅନୁସାରେ ଭାରତ ୧୨୦ତମ ସ୍ଥାନରେ ରହିଛି। ୭୫ତମ ସ୍ଥାନରେ ଭୁଟାନ ଥିବାବେଳେ ୮୭ ସ୍ଥାନରେ ଶ୍ରୀଲଙ୍କା, ୯୬ ନେପାଳ ଏବଂ ୧୦୯ରେ ବାଂଲାଦେଶ ରହିଛି। ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ରେ ଭାରତର ସ୍ଥାନ ଖସିଥିବା କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ପ୍ରକାଶିତ ରିପୋର୍ଟରେ ଭାରତର ଏସ୍‌ଡିଜି ସ୍କୋର ରହିଛି ୬୬। ଚଳିତ ବର୍ଷ ଭାରତ ୧୧ଟି ଏସ୍‌ଡିଜି ଗୋଲ୍‌ ରଖିଥିଲା। ସେଥିରେ ଉତ୍ତମ ସ୍ବାସ୍ଥ୍ୟ, ଲିଙ୍ଗଗତ ସମାନତା, କ୍ଷୁଧାମୁକ୍ତି ଭଳି ବିକାଶ ମୂଳକ କାର୍ଯ୍ୟକ୍ରମ ସାମିଲ ଥିଲା।
ଏସ୍‌ଡିଜି ଲାଗି ରାଜ୍ୟସ୍ତରୀୟ ପ୍ରସ୍ତୁତି ଦୃଷ୍ଟିରୁ ଝାଡ଼ଖଣ୍ଡ ଓ ବିହାର ସବୁଠାରୁ ପଛରେ ଅଛନ୍ତି। କେରଳ ସବାଆଗରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ତାମିଲନାଡୁ ଓ ହିମାଚଳ ପ୍ରଦେଶ। ସେହିପରି ତୃତୀୟ ସ୍ଥାନରେ ଗୋଆ, କର୍ନାଟକ, ଆନ୍ଧ୍ର ପ୍ରଦେଶ ଓ ଉତ୍ତରାଖଣ୍ଡ ଅଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଭିତରୁ ଚଣ୍ଡିଗଡ଼ ପ୍ରଥମ ସ୍ଥାନରେ ଥିବାବେଳେ ଦିଲ୍ଲୀ, ଲାକ୍ଷାଦ୍ୱୀପ, ପୁଡୁଚେରୀ ଦ୍ୱିତୀୟ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପ ତୃତୀୟ ସ୍ଥାନରେ ରହିଛନ୍ତି। ଗତବର୍ଷ ଦେଶରୁ ଖାଦ୍ୟ ସମସ୍ୟା କମ୍‌ କରିବା ସହ ଖାଦ୍ୟ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା କ୍ଷେତ୍ରରେ ଭଲ ପ୍ରଦର୍ଶନ ନକରିବା ସତ୍ତ୍ୱେ ୧୧୭ ସ୍ଥାନ ଅଧିକାର କରିଥିଲା। ୨୦୩୦ର ବିକାଶ ପାଇଁ ୨୦୧୫ରୁ ଏସ୍‌ଡିଜି ଜରିଆରେ ୧୯୨ ସଂଯୁକ୍ତ ରାଷ୍ଟ୍ର ଏକଜୁଟ ହୋଇଛନ୍ତି। ଯେଉଁଥିରେ ପ୍ରମୁଖ ଭାବେ ୧୭ ଗୋଟି ସମସ୍ୟାକୁ ଏସ୍‌ଜିଡିରେ ସାମିଲ କରାଯାଇଛି। ଏହାର ବିକାଶ ଦିଗରେ ପ୍ରତ୍ୟେକ ଦେଶ କାମ କରୁଥିବାବେଳେ ପ୍ରତିବର୍ଷ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଥାଏ; ଯାହା ଜରିଆରେ ବିକାଶ ନେଇ ଦେଶ କେତେ ଆଗୁଆ କାମ କରୁଛି ସେ ବିଷୟରେ ଆଲୋକପାତ କରାଯାଏ।

Share