ତିନି ଭାଗରୁ ଭାଗେ

ପଞ୍ଚସଖାଙ୍କ କର୍ମପୀଠ ସତ୍ୟବାଦୀର ବକୁଳବନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହା ପ୍ରତିଷ୍ଠା ହେଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପଞ୍ଚସଖା ଓଡ଼ିଆ ନବଜାଗରଣର ଯେଉଁ ସ୍ବପ୍ନ ଦେଖୁଥିଲେ ଏହି ବିଶ୍ୱବିଦ୍ୟାଳୟ ତାହାକୁ ଆଗକୁ ନେବ। ଏମିତି ପରିକଳ୍ପନା କରାଯାଇ ୨୦୧୮ ଅକ୍ଟୋବର ୯ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ରାଜନେତାଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଛନ୍ତି। ସମସ୍ତେ ତାଙ୍କ ଭାଷଣରେ ସତ୍ୟବାଦୀକୁ ଭୁରି ଭୁରି ପ୍ରଶଂସା କରିଥିଲେ। ସତ୍ୟବାଦୀ ଲୋକେ ମଧ୍ୟ ଏଭଳି ଯୋଜନାକୁ ନେଇ ବେଶ୍‌ ଖୁସି ହୋଇଯାଇଥିଲେ। ଖୁବ୍‌ଶୀଘ୍ର ପଞ୍ଚସଖାଙ୍କ କର୍ମପୀଠରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଦଣ୍ଡାୟମାନ ହେବ ଏବଂ ତାଙ୍କ ଅଞ୍ଚଳର ଖ୍ୟାତି ପ୍ରତିଭାତ ହେବ ବୋଲି ଆଶା କରିଥିଲେ। ହେଲେ ଦିନ ପରେ ଦିନ ଗଡ଼ିଲା, କିନ୍ତୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଇଟା ଖଣ୍ଡିଏ ଯୋଡେଇ ହୋଇପାରିଲା ନାହିଁ। ବରଂ ଜମି ବିବାଦରେ ଛନ୍ଦି ହୋଇଗଲା ଏହି ପ୍ରକଳ୍ପ। ସେତେବେଳେ ଘୋଷଣା ହୋଇଥିଲା ସତ୍ୟବାଦୀ ଗୋପୀନାଥ ଦେବଙ୍କ ଜମିରେ ଏହା ପ୍ରତିଷ୍ଠା ହେବ। ଏଥିପାଇଁ ସତ୍ୟବାଦୀ ତହସିଲ ଅନ୍ତର୍ଗତ ଫୁଲଅଳସା ମୌଜାର ୨୮ ଏକର ୭୪ ଡେସିମିଲ ଜମି ପ୍ରଥମରୁ ଚିହ୍ନଟ ହୋଇଥିଲା। ଜମିର ମାଲିକ ସତ୍ୟବାଦୀ ଗୋପୀନାଥ ଦେବ ହୋଇଥିବାରୁ ରାଜ୍ୟ ସରକାର ଏହି ଜମି କିଣିବାକୁ ଦେବୋତ୍ତର କମିଶନରଙ୍କୁ ଆବେଦନ କଲେ। ମାତ୍ର ସାକ୍ଷୀଗୋପାଳଙ୍କ ଗୁପ୍ତ ବୃନ୍ଦାବନ ଲୀଳାକ୍ଷେତ୍ର ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେନାପଟା ଲାଗି ନୀତି ସହିତ ଜଡ଼ିତ ବକୁଳବନକୁ ସଂରକ୍ଷିତ ରଖିବାକୁ ସତ୍ୟବାଦୀର ଅଧିବାସୀମାନେ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ଜନସାଧାରଣଙ୍କ ଅନୁରୋଧକୁ ରକ୍ଷା କରି ଏଥିରୁ ବକୁଳବନକୁ ବାଦ୍‌ ଦେଇ ୯ ଏକର ୬୦ ଡେସିମିଲ ଜମି କିଣିଛନ୍ତି ସରକାର। ଏହି ଜମିରେ ବିଶ୍ୱବିଦ୍ୟାଳୟ ତିଆରି କରାଯିବା ଲାଗି ନିଷ୍ପତ୍ତି ହୋଇଛି। ତେବେ ଆରମ୍ଭରୁ ୨୮ଏକର ୭୪ ଡେସିମିଲ ଜମି ଚିହ୍ନଟ ହେବା ଏବଂ ଶିଳାନ୍ୟାସର ଠିକ୍‌ ବର୍ଷକ ପରେ ବିଶ୍ୱବିଦ୍ୟାଳୟ ପାଇଁ ୯ ଏକର ୬୦ ଡେସିମିଲ ଜମି କିଣାଯାଇଥିବାରୁ ଏହାର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ। ତିନିଭାଗରୁ ଭାଗେ ଜମିରେ କେବେ ବିଶ୍ୱବିଦ୍ୟାଳୟ ଠିଆ ହେବ ତାହାକୁ ଏବେ ଚାହିଁ ରହିଛନ୍ତି ଓଡ଼ିଆ ଭାଷାପ୍ରେମୀ।

Share