ତିନି ରଥର ୪ ନାହାକା ଉଠିଲା

ପୁରୀ ଅଫିସ, ୧୮।୬: ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନିରଥର ୪ ନାହାକ ଉଠିଛି। ଅକ୍ଷୟତୃତୀୟା ଠାରୁ ଶ୍ରୀନଅର ସମ୍ମୁଖ ରଥଖଳାରେ ତିନି ମୁଖ୍ୟ ବିଶ୍ୱକର୍ମାଙ୍କ ତତ୍ତା୍ବବଧାନରେ ରଥକାମ ଚାଲିଛି। ପ୍ରଥମେ ତୁମ୍ବରେ ପଇ ସଂଯୋଗ କରାଯାଇ ଶ୍ରୀକ୍ଷେତ୍ର ଭଉଁରୀରେ ତିନି ରଥର ଦୁଇଟି ଲେଖାଏ ଚକ ଅଖ ଡେରା ଯାଇଥିଲା। ଚକ ନିର୍ମାଣ ସରିବା ପରେ ବଳକା ୩୬ଟି ଚକ ଓ ୧୮ଟି ଅଖ ସଂଯୋଗ କରାଯାଇଥିଲା। ଦଣ୍ଡା ଖଞ୍ଜାଯିବା ପରେ ଅଖରେ ମେଣ୍ଢି (ଅଖ ମଝିରେ କାଠ ଖଞ୍ଜିବା) କରାଯାଇ ଦଣ୍ଡା ଉଠିଥିଲା। ଦଣ୍ଡାରେ କଣଗୁଜ ଓ ନିରାଡି ସଂଯୋଗ ସହ ଗୟଲ ମୋଡ଼ା ହୋଇଥିଲା। ସୋମବାର ତିନି ରଥର ନାହାକ ଉଠାଯାଇଛି ବୋଲି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ରଥ ନିର୍ମାଣର ଏକ ବିଧି ରହିଛି। ସେହି ଅନୁସାରେ କାମ କରାଯାଇଥାଏ। ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ୪ଟି ଲେଖାଏ ନାହାକା ଉଠିବା ପରମ୍ପରା ରହିଛି। ତେଣୁ ଆଜି ତିନି ରଥର ନାହାକା ଉଠାଯାଇଥିଲା। ସେହିପରି ଭୋଇ ସଦ୍ଦର୍ର୍ାର ରବି ଭୋଇ କହିଛନ୍ତି, ମହାରଣା ଓ ଭୋଇ ସେବକମାନେ ମିଳିତ ଭାବେ ଏହି କାର୍ଯ୍ୟକୁ ସମ୍ପାଦନା କରିଛନ୍ତି। ନନ୍ଦିଘୋଷ ରଥର ରୂପକାର ସେବକ ରାଜେନ୍ଦ୍ର ମହାପାତ୍ର କହିଛନ୍ତି, ତିନି ରଥର ୪୪ଟି କଣଗୁଜ ସରିିଛି। ଏବେ ସିଂହାସନ କାମ ଆରମ୍ଭ ହୋଇଛି। ଆଗକୁ ପର୍ଯ୍ୟାୟ କ୍ରମେ ନାଟଗୋଡ଼, ପଟାଗୁଜ, ପରଭା ଓ ଚାର ପରସା ପ୍ରଭୃତି କରାଯିବ। ତାଳଧ୍ୱଜ ରଥ କମାର ସେବକ ଅର୍ଜୁନ ମହାରଣା କହିଛନ୍ତି, ଏବେ ଗୟଳ ଓ ଗରଗରା କଣ୍ଟା ତିଆରି ଚାଲିଛି।

Share