ତିନ୍‌ ତଲାକ୍‌ ଜାଲରେ ଫଶିଥିଲେ ‘ଟ୍ରାଜେଡି କୁଇନ୍‌’

ବଲିଉଡର ଟ୍ରାଜେଡି କୁଇନ୍‌ ମୀନା କୁମାରୀଙ୍କ ଆଜି ୮୬ତମ ଜନ୍ମଦିନ। ସାହେବ ବିବି ଔର ଗୁଲାମର ଛୋଟି ବହୁ ଚରିତ୍ର, ପାକିଜାର ମାହଜବିନ ବା ମେରେ ଅପନେ ଫିଲ୍ମର ଆନନ୍ଦୀ ଦେବୀ ଭୂମିକାରେ ତାଙ୍କ ଅଭିନୟ ଏବେ ବି ଫ୍ୟାନଙ୍କ ହୃଦୟରେ ବସା ବାନ୍ଧିଛି। ନାୟକମାନେ ତାଙ୍କ ସହିତ ଅଭିନୟ କରିବାକୁ ଚାତକ ପରି ଚାହିଁ ରହୁଥିଲେ। ହିନ୍ଦୀ ସିନେମାରେ ଗୁରୁଦତ୍ତ, ରାଜକୁମାର ଓ ଦେବାନନ୍ଦଙ୍କ ସହ ଯୋଡି ମୀନା କୁମାରୀଙ୍କର ଜମିଥିଲା । ସାହେବ ବିବି ଔର ଗୁଲାମ, ପରିଣିତା, କାଜଲ ପାଇଁ ମୀନା କୁମାରୀଙ୍କୁ ଫିଲ୍ମ ଫେୟାର ସର୍ବଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିଥିଲା। ବୈଜୁ ବାବରା, ଏକ ହି ରିସ୍ତା, ଶାରଦା, ଶରାରତ, ଦିଲ ଅପନା, ପ୍ରୀତ ପରାଇ, ଆଜାଦ, କୋହିନୁର, ଫୁଲ ଔର ପଥର, ଦିଲ ଏକ ମନ୍ଦିର ଭଳି ହିଟ ଫିଲ୍ମ ସେ ବଲିଉଡକୁ ଉପହାର ଦେଇଛନ୍ତି। ୧୯୭୨ରେ ରିଲିଜ ହୋଇଥିବା ଫିଲ୍ମ ‘ପାକିଜା’ ତାଙ୍କ ଅଭିନୀତ ଶେଷ ଫିଲ୍ମ ଥିଲା। ମାତ୍ର ୩୮ ବର୍ଷ ବୟସରେ ୧୯୭୨ରେ ତାଙ୍କର ପରଲୋକ ଘଟିଥିଲା। ଏହି ସ୍ପଳ୍ପ ସମୟ ମଧ୍ୟରେ ୯୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ମୀନା କୁମାରୀ।

ତାଙ୍କ ଅଭିନୀତ ଫିଲ୍ମର ଚରିତ୍ର ଭଳି ତାଙ୍କ ଅସଲ ଜୀବନ ବି କୌଣସି ଟ୍ରାଜେଡି ଠାରୁ କମ ନ ଥିଲା। ସେ ତିନି ତଲାକ୍‌ର ଶିକାର ହୋଇଥିଲେ। ଦିନେ ପାରିବାରିକ କଳହ କାରଣରୁ ସ୍ବାମୀ କମଲ ଅମରୋହୀ ମୀନାଙ୍କୁ ରାଗବଶତଃ ତିନି ଥର ତଲାକ କହିଦେଇଥିଲେ। ଫଳରେ ତାଙ୍କ ବୈବାହିକ ଜୀବନ ଭାଙ୍ଗି ପଡିଥିଲା। ଏହି ଦୁଃଖରେ ମୀନା କୁମାରୀ ମଦ୍ୟାପାନ କରିବାକୁ ଆରମ୍ଭ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ କମଲ ନିଜ ଭୁଲ ବୁଝି ପାରିଥିଲେ ଏବଂ ମୀନାଙ୍କୁ ଫେରାଇ ଆଣିବାକୁ ଚାହିଁଥିଲେ। ଇସଲାମ ଆଇନ ଅନୁସାରେ ମୀନାଙ୍କୁ ହଲାଲା ଅର୍ଥାତ୍‌ ମୀନା ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରିବା ପରେ ତାଙ୍କଠାରୁ ତଲାକ ନେଇ କମାଲଙ୍କୁ ପୁଣି ଥରେ ବିବାହ କରିପାରିବେ ବୋଲି ନିୟମ ରହିଛି। ମୀନା ବାଧ୍ୟ ହୋଇ କମଲଙ୍କ ଘନିଷ୍ଠ ବନ୍ଧୁ ଭମାନ ଉଲା ଖାନଙ୍କୁ ବିବାହ କରିଥିଲେ। ଭମାନଙ୍କଠାରୁ ତଲାକ ନେଇ ମୀନା କମଲଙ୍କୁ ପୁଣି ଥରେ ବିବାହ କରିଥିଲେ। ମାତ୍ର ଶେଷରେ ରୋଗାକ୍ରାନ୍ତ ହୋଇ ମାତ୍ର ୩୯ ବର୍ଷ ବୟସରେ ମୀନା କୁମାରୀ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ।

Share