Advertisement

ତିଲକପଙ୍ଗା ସ୍କୁଲରେ ଛତା ଧରି ପିଲା ପଢ଼ିବା ଘଟଣା: ପ୍ରଶାସନ ଚେତିଲା,ଶ୍ରେଣୀଗୃହ ପାଇଁ ହେବ ନୂଆ ଟେଣ୍ଡର

ଫୁଲବାଣୀ ଅଫିସ, ୨୮ା୮- କ. ନୂଆଗାଁ ବ୍ଲକ ସାଇନପଡ଼ା ପଞ୍ଚାୟତର ତିଲକପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଥିଲା। ଶ୍ରେଣୀ ଗୃହରେ ସାମାନ୍ୟ ବର୍ଷା ହେଲେ ପାଣି ଗଳୁଥିବାରୁ ପିଲାମାନେ ଛତା ଧରି ପାଠ ପଢ଼ୁଥିବା ଦେଖାଯାଇଥିଲା। ଏ ନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଛି ା ପାଣି ଗଳୁଥିବା ଶ୍ରେଣୀଗୃହ ଉପରେ ପ୍ରଥମ ପର୍ଯ୍ୟାୟରେ ଆଜବେଷ୍ଟସ ପକାଯିବା ଆରମ୍ଭ ହୋଇଛି। ନଳକୂପ ସଜଡା ଯାଇଛି ା ଏବେ ସମ୍ପୂର୍ଣ୍ଣ ଶ୍ରେଣୀଗୃହ ପାଇଁ ନୂତନ ଟେଣ୍ଡର ଆହ୍ବାନ କରାଯିବାକୁ ପ୍ରସ୍ତୁତି ସରିଛି ା ମିଳିଥିବା ସୂଚନା ଅନୁସାରେ, ୨୦୧୨ ମସିହାରେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ୪୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଟେଣ୍ଡର ହୋଇଥିଲା ା ମାତ୍ର କେତେକ ଅନିବାର୍ଯ୍ୟ କାରଣ ଯୋଗୁ ଶ୍ରେଣୀଗୃହ ନିର୍ମାଣ ହୋଇ ପାରି ନ ଥିଲା ା ବର୍ଷ ଗଡିବାରୁ ସମ୍ପୃକ୍ତ ଟେଣ୍ଡରଧାରୀ ସେତିକି ଟଙ୍କାରେ କାମ କରିବା ସମ୍ଭବ ନୁହେଁ ବୋଲି କହି କାମ କରି ନ ଥିଲେ ା ଏ ନେଇ ସେ କୋର୍ଟ ଦ୍ୱାରସ୍ଥ ହୋଇଥିଲେ। ହେଲେ ପିଲାମାନେ ବର୍ଷାରେ ପଢ଼ୁଥିବା ଖବର ପ୍ରକାଶ ପାଇବା ପରେ ଜିଲାପାଳ ଏହାକୁ ଗୁରୁତ୍ୱର ସହ ନେଇ ଟେଣ୍ଡରଧାରୀଙ୍କ ସହ ଘଟଣା ବିଷୟରେ ପଚାରି ବୁଝିଥିଲେ। ପିଲାଙ୍କ ସ୍ବାର୍ଥକୁ ଦେଖି ତୁରନ୍ତ କେସ୍‌ ଉଠାଇବାକୁ ପରାମର୍ଶ ଦେଇଥିଲେ। ଠିକାଦାର ଜଣକ ରାଜି ହେବାରୁ ଏବେ ନୂତନ ଟେଣ୍ଡର ପାଇଁ ବାଟ ଫିଟିଛି ଏବଂ କାର୍ଯ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆର୍‌ଡି (ଗ୍ରାମ୍ୟ ନିର୍ମାଣ ବିଭାଜନ) ବିଭାଗ ପକ୍ଷରୁ ସୂଚନା ମିଳିଛି ା ହେଲେ ନୂତନ ଆଜବେଷ୍ଟସ ଏବଂ ନଳକୂପ କାମ କ.ନୂଆଗାଁ ବ୍ଲକ ପକ୍ଷରୁ ଆରମ୍ଭ ହେବ। ବିଡିଓ ମନୋଜ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ କରାଯିବ ା ରୋଷେଇ ଘର, ନୂତନ ପାଇଖାନା ନିର୍ମାଣ ଏବଂ ଏକ ନିର୍ମିତ ନୂତନ କୋଠାର ଛାତ ଗ୍ରୀଡିଂ କରାଯିବାକୁ ବିଡିଓ ତାଙ୍କ ରିପୋର୍ଟରେ ଜିଲାପାଳଙ୍କୁ ଅବଗତ କରିଛନ୍ତି। ସୁଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି ା ପ୍ରାୟ ୨୦୦ ଛାତ୍ରୀଛାତ୍ର ୬ଟି ଶେଣ୍ରୀ ଗୃହରେ ପାଠ ପଢ଼ୁଛନ୍ତି। ବର୍ଷା ଦିନ ଆସିଲେ ସ୍କୁଲରେ ଛାତ୍ରୀଛାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ୪ଟି ଗୃହରେ ଛାତରୁ ବର୍ଷା ପାଣି ପଡୁଛି ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share