ତିହିଡ଼ିରେ କୋର୍ଟ ପ୍ରତିଷ୍ଠାରେ ବିଳମ୍ବ

ତିହିଡ଼ି,୧୧ା୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ିରେ ସିଭିଲ ଜଜ୍‌ ଜୁନିୟର ଡିଭିଜନ ଓ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ନେଇ ପ୍ରଶାସନ ପକ୍ଷରୁ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶନିବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ତିହିଡ଼ି ଓକିଲ ସଂଘ ଆହ୍ବାନକ୍ରମେ ଆୟୋଜିତ ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସମେତ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ଓକିଲ ସଂଘର ସଭାପତି ସୂର୍ଯ୍ୟ ରଞ୍ଜନ ମିଶ୍ର ଏଥିରେ ପୌରୋହିତ୍ୟ କରିଥିଲେ। ସଂଘର ସମ୍ପାଦକ ବିଷ୍ଣୁ ଦାଶ ଦର୍ଶାଇଥିଲେ ଯେ, ତିହିଡ଼ିରେ କୋର୍ଟ ପ୍ରତିଷ୍ଠା ପାଇଁ ୨୦୧୬ରେ ଓକିଲ ସଂଘ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ହାଇକୋର୍ଟଙ୍କ ପକ୍ଷରୁ ୨୦୧୭ ଜାନୁୟାରୀ ୩ରେ ତିହିଡ଼ିରେ କୋର୍ଟ ଖୋଲିବା ସକାଶେ ଭଦ୍ରକ ଜିଲା ଜଜ୍‌ଙ୍କୁ ଜଣାଯାଇଥିଲା। ଜିଲା ଜଜ୍‌ କୋର୍ଟ ରେଜିଷ୍ଟ୍ରାର ଜାନୁୟାରୀ ୭ରେ ତିହିଡ଼ିରେ ୩ ବର୍ଷରେ କେତେ ମକଦ୍ଦମା ବିଚାରଯୋଗ୍ୟ ରହିଛି ସେ ସମ୍ପର୍କରେ ସୂଚନା ଦେବାକୁ ସମସ୍ତ କୋର୍ଟକୁ ଅବଗତ କରାଇଥିଲେ। ଏଥିସହ ଜିଲାପାଳଙ୍କୁ ମଧ୍ୟ କୋର୍ଟ ନିମିତ୍ତ ଆବଶ୍ୟକ ସରକାରୀ ବା ବେସରକାରୀ ଗୃହ ସମ୍ପର୍କରେ ସୂଚନା ଦେବାକୁ ଜଣାଇଥିଲେ। ପରେ ଜିଲାପାଳ ସେହିମାସ ୧୯ ତାରିଖରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ତହସିଲଦାରଙ୍କୁ ଜଣାଇଥିଲେ। ମାତ୍ର ଏହା ଏଯାଏ କାର୍ଯ୍ୟକାରୀ ହୋଇପାରି ନ ଥିବା ସମ୍ପାଦକ ଦାଶ କହିଛନ୍ତି। ବୈଠକରେ ଆଲୋଚନା ପରେ ଭାଟପଡ଼ା ମୌଜାରେ ନିରୂପଣ ହୋଇଥିବା ସ୍ଥାନ ସମ୍ପର୍କରେ ଜଜ୍‌ କୋର୍ଟ ରେଜିଷ୍ଟ୍ରାରଙ୍କ ସମେତ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ସ୍ଥିର ହୋଇଛି।
ଆଇନଜୀବୀ ସତ୍ୟସୁନ୍ଦର ପତି, ଗୌରହରି ମହାନ୍ତି, ତପନ ମିଶ୍ର, ହିମାଂଶୁ ଭଟ୍ଟାଚାର୍ଯ୍ୟ, ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା, ଭାଜପା ନେତା ରଘୁନାଥ ପାତ୍ର, ସିପିଆଇର ସନ୍ଥ ଚରଣ ବିଶ୍ୱାଳ, ସିପିଏମ୍‌ର ନିର୍ମଳ ଦଳାଇ, ସାମାଜିକ କର୍ମୀ ଧିରେନ୍ଦ୍ର ସାହୁ, ହୀମାଦ୍ରି ରାଉତରାୟ, ରତିକାନ୍ତ ଦାସ, ମଦନମୋହନ ପଣ୍ଡା, କୈଳାସ ବେହେରା, ଧ୍ରୁବଚରଣ ପାଣିଗ୍ରାହୀ ଓ କୃପାସିନ୍ଧୁ ଦାଶ ପ୍ରମୁଖ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।