ତିହିଡ଼ି: ହରିବୋଲରୁ ଶ୍ରୀଗୁଣ୍ଡିଚାରେ ତିନିଠାକୁର

ତିହିଡ଼ି, ୪।୭ (ଡି.ଏନ.ଏ.) – ଭଦ୍ରକ ଜିଲା ସଦର ବ୍ଲକ କେଶପୁରସ୍ଥିତ ହରିବୋଲ କ୍ଷେତ୍ରରେ ଗୁରୁବାର ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଶ୍ରଦ୍ଧାଳୁଙ୍କ ଶଙ୍ଖ, ହୁଳହୁଳି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ଘଣ୍ଟ, ମୃଦଙ୍ଗ, କାହାଳୀ ଓ ଭକ୍ତଙ୍କ ଧ୍ୱନିରେ କ୍ଷେତ୍ର କମ୍ପି ଉଠିଥିଲା। ସକାଳ ୬ ଟାରେ ଦ୍ୱାରପାଳ ପୂଜା ପରେ ସୂର୍ଯ୍ୟପୂଜା କରାଯାଇଥିଲା। ୭ଟାରେ ରଥ ସଂସ୍କାର ଓ ଧ୍ୱଜାରୋପଣ ପରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ରଥରେ ଅର୍ପଣ କରାଯାଇଥିଲା। ଏହାପରେ ଶ୍ରୀଜୀଉମାନଙ୍କର ସ୍ନାନ ଓ ପୂଜନ କରାଯାଇଥିଲା। ପୂର୍ବାହ୍ନ ୧୧ଟା ବେଳେ ମହାସୁଦର୍ଶନଙ୍କ ପହଣ୍ଡି ବିଜେ କରାଯାଇ ଦେବଦଳନ ରଥରେ ରଖାଯାଇଥିଲା। ପରେ ଶ୍ରୀବଳଭଦ୍ର, ମାତା ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା। ଜିଲାପାଳ ଜ୍ଞାନରଞ୍ଜନ ଦାଶଙ୍କୁ ଶୋଭାଯାତ୍ରାରେ ରଥ ପର୍ଯ୍ୟନ୍ତ ନିଆଯାଇଥିଲା। ସେ ୩ ରଥରେ ଛେରାପହଁରା କରିଥିଲେ। ପରେ ତିହିଡ଼ି ବ୍ଲକ ଗୁଆମାଳ ପଞ୍ଚାୟତ ଅଧୀନ ମୋଡ଼ସାହିସ୍ଥିତ ମାଉସୀମା ମନ୍ଦିରକୁ ରଥଟଣା ହୋଇଥିଲା। ମହିଳାମାନେ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣିଥିଲେ।
ରଥ ପରିଚାଳନା କମିଟି ସଭାପତି ନଗେନ୍ଦ୍ର ପ୍ରସାଦ ଦାସ, ସମ୍ପାଦକ ଶ୍ରୀଧର ପୁହାଣ, ସନ୍ତୋଷ ନାୟକ, ସରୋଜ କୁମାର ପଣ୍ଡା, ଚନ୍ଦ୍ରକାନ୍ତ ବେହେରା, ପତିତପାବନ ପଣ୍ଡା, ବିଷ୍ଣୁମୋହନ ସେଠୀ ଏବଂ ମାଉସୀମା ମନ୍ଦିର କମିଟି ସଭାପତି ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ସମ୍ପାଦକ ରବିନାରାୟଣ ସାମଲ, ସନାତନ ଜେନା ପ୍ରମୁଖ ପରିଚାଳନା କରିଥିଲେ। ତିହିଡ଼ି ସ୍ବାସ୍ଥ୍ୟକେନ୍ଦ୍ର, ଅଗ୍ନିଶମ ଓ ଜଳ ପରିମଳ ବିଭାଗ ପକ୍ଷରୁ ସେବା ଯୋଗାଇ ଦିଆଯାଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିଲା। ସେହିପରି ତିହିଡ଼ି ବ୍ଲକର ପୀରହାଟ, ଚାରିତରଫ, ମଙ୍ଗରାଜପୁର, ମୂଷାଙ୍ଗ, କୋହ୍ଲ, ତାଳପଦା, କାଳିମେଘା, ନୂଆନନ୍ଦ ଆଦି ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।