Categories: ଖେଳ

ତୀରମାଡ଼ରେ ତୀରନ୍ଦାଜ ଗୁରୁତର

ନୂଆଦିଲ୍ଲୀ,୧୦।୧- ଆସାମର ୧୨ ବର୍ଷୀୟା ତୀରନ୍ଦାଜ ଶିଭାଙ୍ଗିନୀ ଗୋହେନ ତୀର ମାଡ଼ରେ ଆହତ ହୋଇଛନ୍ତି। ଦିବ୍ରୁଗଡ଼ସ୍ଥିତ ସାଇ କେନ୍ଦ୍ରରେ ଟ୍ରେନିଂବେଳେ ଦୁର୍ଘଟଣା ଘଟିଛି। ଏହି ସମୟରେ କେହି ପ୍ରଶିକ୍ଷକ ନ ଥିଲେ। ଅସାବଧାନତା କାରଣରୁ ଏଭଳି ଘଟଣା ଘଟିଛି ବୋଲି ରାଜ୍ୟର ତୀରନ୍ଦାଜ ଆସୋସିଏଶନ ପକ୍ଷରୁ କୁହାଯାଇଛି। ବୁଧବାର ଦୁର୍ଘଟଣା ପରେ ତାଙ୍କୁ ବିମାନ ଯୋଗେ ଦିଲ୍ଲୀ ନିଆଯାଇ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇ ଥିବା ଆସାମ ତୀରନ୍ଦାଜ ଆସୋସିଏଶନର ଯୁଗ୍ମ ସମ୍ପାଦକ ଓ ରାଜ୍ୟ ଅଲିମ୍ପିକ୍‌ ଆସୋସିଏଶନର କାର୍ଯ୍ୟକାରୀ ସଦସ୍ୟ ପୁଲିନ ଦାସ କହିଛନ୍ତି। ସାଇର ଏକ୍ସଟେନଶନ ସେଣ୍ଟରରେ ୫ ବାଳିକାଙ୍କ ସମେତ ୧୧ ଟ୍ରେନି ଥିଲେ। ସେମାନେ ସାଇର ଚୁକ୍ତିଭିତ୍ତକ କୋଚ୍‌ ମାର୍ସିଙ୍କ ନେତୃତ୍ୱରେ ଟ୍ରେନିଂ ନେଉଥିଲେ। କିନ୍ତୁ କୋଚ ମାର୍ସି ଏବେ ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ଗୁଆହାଟୀ ଯାଇଛନ୍ତି। ଟ୍ରେନିଂ ଗ୍ରାଉଣ୍ଡର ସ୍ଥିତ ଭଲ ନାହିଁ। କାରଣ ସେଠାରେ ଫୁଟବଲ, କ୍ରିକେଟ ଓ ଅନ୍ୟ ଖେଳ ମଧ୍ୟ ଖେଳାଯାଏ। କିନ୍ତୁ ସବୁଠୁ ବଡ଼ କଥା ହେଲା କୋଚ୍‌ଙ୍କ ଅନୁପସ୍ଥିତିରେ ସେମାନଙ୍କୁ ଟ୍ରେନିଂ ନ କରିବାକୁ କୁହାଯାଇ ନ ଥିଲା। ଜଣେ ବାଳକ ଅଭ୍ୟାସ କରୁଥିବାବେଳେ ଗୋହେନଙ୍କୁ ତୀର ଲାଗିଥିଲା। ତାଙ୍କୁ ପ୍ରଥମେ ଆସାମ ମେଡିକାଲ କଲେଜ ନିଆଯାଇଥିଲା। ସେଠାକାର ଡାକ୍ତର ଭଲ ମେଡିକାଲକୁ ନେବା ପାଇଁ ସୁପାରିସ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସ ନିଆଯାଇଥିଲା। ଏମ୍ସର ଟ୍ରମା ସେଣ୍ଟରର ଜଣେ ଡାକ୍ତର କହିଛନ୍ତି, ତୀର ଗୋହେନଙ୍କ ହାତର ହାଡ ଭିତରେ ପଶିଯାଇଛି। ଶୀଘ୍ର ତାଙ୍କର ଅସ୍ତ୍ରୋପଚାର କରାଯିବ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ଆସାମ ତୀରନ୍ଦାଜ ଆସୋସିଏଶନ ତାଙ୍କ ଚିକିତ୍ସା ପାଇଁ ୨୦ ହଜାର ଟଙ୍କା ସହାୟତା ରାଶି ଦେଇଛି।

Share