Categories: ଜାତୀୟ

ତୀର୍ଥଯାତ୍ରୀଙ୍କ ପଛରେ ୪୮୦ କିମି ଚାଲିଚାଲି କୁକୁର କରୁଛି ତୀର୍ଥଯାତ୍ରା

ଚିକ୍କାମାଗାଲୁର୍‌,୧୮।୧୧: ସାଧାରଣତଃ ମଣିଷମାନେ ତୀର୍ଥଯାତ୍ରା କରିଥାନ୍ତି। ତେବେ ଏକ କୁକୁର ସାବରିମାଲା ଆସୁଥିବା ତୀର୍ଥଯାତ୍ରୀଙ୍କୁ ଅନୁସରଣ କରି ତୀର୍ଥଯାତ୍ରା କରିଚାଲିଛି। ଏବେ କୁକୁରର ଫଟୋ ଓ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୧୩ ଜଣିଆ ଆୟପ୍ପା ଶ୍ରଦ୍ଧାଳୁଦଳଙ୍କ ପଛରେ କୁକୁରଟି ଇତିମଧ୍ୟରେ ୪୮୦ କିମି ବାଟ ଚାଲିଚାଲି ତୀର୍ଥ କରିସାରିଛି। ଶ୍ରଦ୍ଧାଳୁମାନେ ଆନ୍ଧ୍ରପ୍ରଦେଶର ଦକ୍ଷିଣ କନ୍ନଡ଼ ଜିଲାର ମୁଦାବିଦ୍ରିଠାରୁ ଅକ୍ଟୋବର ୩୧ରେ ବାହାରିଥିଲେ। ତିରୁପତିଠାରୁ ସେମାନଙ୍କ ପଛରେ କୁକୁରଟି ଚାଲିଚାଲି ଆସୁଥିଲା। ଏହାକୁ ପ୍ରଥମେ ଶ୍ରଦ୍ଧାଳୁ ଅଣଦେଖା କରିଥିଲେ। ତେବେ ପରେ ଜଣାପଡ଼ିଥିଲା ଯେ କୁକୁରଟି ସେମାନଙ୍କୁ ଅନୁସରଣ କରୁଛି। ଏବେ କୁକୁରଟି ୪୮୦ କିମି ଚାଲିଚାଲି ଶ୍ରଦ୍ଧାଳୁଙ୍କ ପଛରେ ଆସି କର୍ନାଟକର ଚିକ୍କାମାଗାଲୁର୍‌ ଜିଲାର କୋଟିଗେହାରାରେ ପହଞ୍ଚିଛି। ଶ୍ରଦ୍ଧାଳୁଦଳର ନେତୃତ୍ୱ ନେଉଥିବା ରାଜେଶ ଗୁରୁସ୍ବାମୀ କହିଛନ୍ତି। କୁକୁର ବେକରେ ବେଲ୍ଟ ବନ୍ଧା ହୋଇଛି। ତେଣୁ ଏହା କାହାର ପୋଷା କୁକୁର ହୋଇଥାଇପାରେ। ଅତ୍ୟଧିକ ଚାଲିବାରୁ କୁକୁର ପାଦରେ କ୍ଷତ ସୃଷ୍ଟି ହୋଇଥିଲା ତେବେ ଏହାର ଚିକିତ୍ସା କରାଯାଇଥିବା ଗୁରୁସ୍ବାମୀ କହିଛନ୍ତି। ସେମାନେ କୁକୁରକୁ ସାବରିମାଲା ପର୍ଯ୍ୟନ୍ତ ନେଇଯିବେ। ଏଥି ପାଇଁ ପ୍ରାୟ ୫୫୦ କିମି ଅତିକ୍ରମ କରିବାକୁ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି।

Share