ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ବିଧାନସଭା ଘେରାଉ: ପ୍ରଦୀପ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ମାଲକାନଗିରି ସଦର ମହକୁମା ପୋଲିସ କ୍ୟାଣ୍ଚିନରେ କାମ କରୁଥିବା ଜଣେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ସହ ହତ୍ୟା କରାଯାଇଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି) କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ପୋଲିସ ଚପାଇଦେବାକୁ ଚକ୍ରାନ୍ତ କରୁଥିବା ସେ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମାଝି କହିଛନ୍ତି ଯେ, ମାଲକାନଗିରିରେ ରାଜଧାନୀଠାରୁ ଅଧିକ ପୋଲିସ ଏବଂ ପାରା ମିଲିଟାରି ଫୋର୍ସ କାର୍ଯ୍ୟ କରୁଛନ୍ତି। ପୋଲିସ ଛାଉଣୀ ଥାଇ ମଧ୍ୟ ଆଦିବାସୀ ମହିଳାଙ୍କୁ କିପରି ବଳାତ୍କାର ଓ ହତ୍ୟା କରାଯାଏ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇପଡୁଛି। ପୀଡ଼ିତାଙ୍କ ବିଭିନ୍ନ ସ୍ଥାନକୁ ଲୁହାରଡ୍‌ରେ ଭୁସାଯାଇଛି ଏବଂ ବର୍ବରୋଚିତ ଭାବେ ଆକ୍ରମଣ କରାଯାଇଛି। ପୀଡ଼ିତା ବହୁ ବର୍ଷ ଧରି ମାଲକାନଗିରି ସଦର ମହକୁମା ପୋଲିସ କ୍ୟାଣ୍ଟିନରେ ହେଲ୍‌ପର ଭାବେ କାର୍ଯ୍ୟ କରୁଥିଲେ। ପ୍ରତିଦିନ ସକାଳ ୭ଟାରେ କ୍ୟାଣ୍ଟିନର ଚାବି ଖୋଲେ ଏବଂ ଦିନ ତମାମ ସେଠାରେ ସେ କାମ କରନ୍ତି। ରାତି ୧୧ରେ କ୍ୟାଣ୍ଟିନରେ ଚାବି ପକାଇ ସେଠାରୁ ୫୦ମିଟର ଦୂର ପର୍ଯ୍ୟନ୍ତ ଭଡ଼ାଘରକୁ ଫେରନ୍ତି। କ୍ୟାଣ୍ଟିନରେ ପୋଲିସ କର୍ମଚାରୀମାନେ ମଧ୍ୟାହ୍ନ ଏବଂ ରାତ୍ରିଭୋଜନ କରିଥାଆନ୍ତି। ଗତ ମାସ ୭ତାରିଖରେ ପୀଡ଼ିତାଙ୍କୁ ଅସୁସ୍ଥ ଅବସ୍ଥାରେ ପୋଲିସ କର୍ମଚାରୀମାନେ ମାଲ୍‌କାନଗିରି ହସ୍ପିଟାଲରେ ଭର୍ତ୍ତି କରିବା ସହ ପୀଡ଼ିତାଙ୍କ ସ୍ବାମୀଙ୍କୁ ଖବର ଦେଇଥିଲେ। ପୀଡ଼ିତାଙ୍କ ସ୍ବାମୀ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଥିବା ଦେଖିବାକୁ ପାଇଥିଲେ। ଏପରି କି ତାଙ୍କ ଚିକିତ୍ସା ଠିକ୍‌ରେ ହୋଇ ନ ଥିବା ମଧ୍ୟ ଜାଣିବାକୁ ପାଇଲେ। ପରେ ପୀଡ଼ିତାଙ୍କୁ ବ୍ରହ୍ମପୁର ହସ୍ପିଟାଲ ନିଆଯାଉଥିବାବେଳେ ତାଙ୍କ ଅଧାବାଟରେ ମୃତ୍ୟୁ ଘଟିଥିଲା। ପୀଡ଼ିତାଙ୍କ ମୃତ୍ୟୁପରେ ତାଙ୍କ ସ୍ବାମୀଙ୍କ ଠାରୁ ମୋବାଇଲ ଫୋନ ଛଡାଇ ନିଆଯିବା ସହିତ ତାଙ୍କଠାରୁ ସାଦାକାଗଜରେ ୬ଟି ଦସ୍ତଖତ ନିଆଯାଇଥିବା ମାଝି ଅଭିଯୋଗ କରିଛନ୍ତି। ରାତି ଅଧରେ ପୋଲିସ ଉପସ୍ଥିତ ରହି ଶବଦାହ କାର୍ଯ୍ୟ ପାଇଁ ମଧ୍ୟ ତାଙ୍କ ସ୍ବାମୀଙ୍କୁ ବାଧ୍ୟ କରିଥିଲେ। ଏହି ଘଟଣାର ତୁରନ୍ତ ତଦନ୍ତ ଲାଗି ମାଲକାନଗିରି କଂଗ୍ରେସ ପ୍ରତିନିଧି ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ। ମାତ୍ର ୧୫ଦିନ ହେଲା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନାହାନ୍ତି ବୋଲି ମାଝି ଅଭିଯୋଗ କରିଛନ୍ତି। ଯଦି ସରକାର ତୁରନ୍ତ ଦୋଷୀକୁ ଗିରଫକରି ମୃତକଙ୍କ ପରିବାରବର୍ଗଙ୍କୁ ନ୍ୟାୟ ନ ଦିଅନ୍ତି ତେବେ ଆଗାମୀ ଦିନରେ ବିଧାନସଭା ଘେରାଉ କରିବାକୁ ମାଝି ଚେତାବନୀ ଦେଇଛନ୍ତି।

Share