Categories: ବାଣିଜ୍ୟ

ତୁର୍କିରୁ ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର;ଭାରତ ସଂକ୍ରାନ୍ତରେ ଆମେରିକା ଚୁପ୍‌

ଓ୍ବାଶିଂଟନ,୧୮-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୁର୍କିଠାରୁ ଟାରିଫ ଛାଡ଼ର ସାମାନ୍ୟ ବ୍ୟବସ୍ଥା(ଜିଏସ୍‌ପି) ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ପି ମାଧ୍ୟମରେ ଗରିବ ତଥା ପଛୁଆ ଦେଶଗୁଡ଼ିକର ରୋଜଗାର ସୃଷ୍ଟିକାରୀ ସାମଗ୍ରୀକୁ ନିଜ ଦେଶରେ ଶୁଳ୍କମୁକ୍ତ ପ୍ରବେଶ ପାଇଁ ଆମେରିକା ଅନୁମତି ଦେଇଥାଏ। ତେବେ ଭାରତ ବିରୋଧରେ ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରିବ ବୋଲି ଆମେରିକା ପୂର୍ବରୁ କହିବା ସହିତ ନୋଟିସ୍‌ ଦେଇସାରିଛି। କିନ୍ତୁ ଏହା ଉପରେ ଅଦ୍ୟାବଧି ଟ୍ରମ୍ପ ପ୍ରଶାସନ କୌଣସି ନିଷ୍ପତ୍ତି ନେବାରୁ ପଛେଇ ଯାଇଛି। ସୂଚନାଥାଉ କି, ଜିଏସ୍‌ପି ଆମେରିକାର ସର୍ବପୁରାତନ ବାଣିଜ୍ୟ ମାନ୍ୟତା ପ୍ରଦାନ କରାଯାଉଥିବା ଏକ କାର୍ଯ୍ୟକ୍ରମ। ଜିଏସ୍‌ପି ଅଧୀନରେ କେତେକ ବଛା ବଛା ଗରିବ ଦେଶର ମନୋନୀତ ସାମଗ୍ରୀଗୁଡ଼ିକ ଉପରେ ଆମେରିକା ଆମଦାନୀ ଶୁଳ୍କ ଆଦାୟ କରେନାହିଁ। ଶୁକ୍ରବାରଠାରୁ ତୁର୍କିଠାରୁ ଆମେରିକା ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କରିଛି। ଭାରତ ଓ ତୁର୍କିକୁ ଦିଆଯାଉଥିବା ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କରାଯିବ ବୋଲି ମାର୍ଚ୍ଚ ୪ରେ ରାଷ୍ଟ୍ରପତି ଟ୍ରମ୍ପ ଚେତାବନୀ ଶୁଣାଇଥିଲେ। ହ୍ବାଇଟ ହାଉସ୍‌ ଅଥବା ଆମେରିକା ବାଣିଜ୍ୟ ପ୍ରତିନିଧି(ୟୁଏସ୍‌ଟିଆର୍‌) ଭାରତଠାରୁ ଜିଏସ୍‌ପି ପ୍ରତ୍ୟାହାର ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଉଲ୍ଲେଖ କରିନାହାନ୍ତି। ତେବେ ଯେକୌଣସି ସମୟରେ ଟ୍ରମ୍ପ ସରକାର ଏ ସମ୍ପର୍କରେ ଘୋଷଣା କରିପାରନ୍ତି। ନିକଟରେ ଆମେରିକାର ବାଣିଜ୍ୟ ସଚିବ ଓ୍ବିଲ୍‌ବର ରସ୍‌ ଭାରତ ଗସ୍ତରେ ଆସି କହିଥିଲେ ଯେ, ଭାରତରେ ଚାଲିଥିବା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଆମେରିକା ଅପେକ୍ଷା କରିବ। ସେତେବେଳେ ପର୍ଯ୍ୟନ୍ତ ତାଙ୍କ ଦେଶ ଭାରତ ଠାରୁ ଜିଏସ୍‌ପି ପ୍ରତ୍ୟାହାର ନେଇ କୌଣସି ନିଷ୍ପତ୍ତି ନେବ ନାହିଁ। ନିକଟ ଅତୀତରେ ଆମେରିକାର କେତେକ ସାଂସଦ ଏବଂ ଉଦ୍ୟୋଗଜଗତ ପ୍ରତିନିଧିମାନେ ଟ୍ରମ୍ପ ସରକାରଙ୍କୁ ପତ୍ର ଲେଖି ଭାରତରେ ନୂଆ ସରକାର ଗଠନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେବାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ସେମାନେ ଭାରତ ଠାରୁ ଜିଏସ୍‌ପି ପ୍ରତ୍ୟାହାର ନ କରିବାକୁ ଅନୁରୋଧ କରିଛନ୍ତି।

Share