Categories: ଖେଳ

ତୃତୀୟ ଟେଷ୍ଟ: ଦକ୍ଷିଣ ଆଫ୍ରିକାର ସଂଘର୍ଷ

ପୋର୍ଟ ଏଲିଜାବେଥ,୧୯।୧- ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ସଂଘର୍ଷ ଜାରି ରଖିଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୧୫୨ ଓଭରରେ ୯ ଉଇକେଟ ହରାଇ ୪୯୯ ରନ ସଂଗ୍ରହ କରି ପାଳି ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ଆରମ୍ଭ କରି ଶନିବାର ତୃତୀୟ ଦିନ ଖେଳ ଶେଷସୁଦ୍ଧା ୮୨ ଓଭରରେ ୬ ଉଇକେଟ ହରାଇ ୨୦୮ ରନ ସଂଗ୍ରହ କରିଛି। ଫଳରେ ୪ ଉଇକେଟ ହାତରେ ରଖି ଦକ୍ଷିଣ ଆଫ୍ରିକା ଏବେ ୨୯୧ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଉଇକେଟକିପର ବ୍ୟାଟ୍ସମମ୍ୟାନ କ୍ୟୁଣ୍ଟନ ଡିକକ୍‌ ୬୩ ଓ ଭର୍ଣ୍ଣନ ଫିଲାଣ୍ଡର ୨୭ ରନ କରି ଅପରାଜିତ ରହିଛନ୍ତି। ଦଳ ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଓପନର ଡିନ୍‌ ଏଲଗାର ୩୫, ପିଟର ମଲାନ ୧୮, ଜୁବେର ହମ୍‌ଜା ୧୦, ଅନରିଚ ନୋର୍ଜ ୧୮, ଅଧିନାୟକ ଫାଫ୍‌ ଡୁପ୍ଲେସି ୮, ରାସି ଭାନ ଡେର ଡୁସେନ ୨୪ ରଦ କରି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଡୋମ୍‌ ବେସ୍‌ ସର୍ବାଧିକ ୫ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୬୯/୨ରୁ ଦକ୍ଷିଣ ଆଫ୍ରିକା ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଡିନ୍‌ ଏଲ୍‌ଗାର ୩୨ରୁ ଓ ନୋର୍ଜ ବିନା ସ୍କୋରରୁ ଖେଳ ଆରମ୍ଭ କରି ଆଉଟ ହୋଇଥିଲେ। ବର୍ଷା ଯୋଗୁ ତୃତୀୟ ଦିବସର ଖେଳ ଏକାଧିକ ବାର ବାଧାପ୍ରାପ୍ତ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୧୫୨ ଓଭରରେ ୪୯୯/୯ ଇନିଂସ ଘୋଷଣା
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୮୨ ଓଭରରେ ୨୦୮/୬
(ଡିକକ୍‌- ୬୩ *, ଫିଲାଣ୍ଡର- ୨୭*, ଏଲଗାର- ୩୫, ଡୁସେନ- ୨୪, ବେସ- ୫/୫୧, ଷ୍ଟୋକ୍ସ- ୧/୨୬)।

Share