Categories: ବାଣିଜ୍ୟ

ତୃତୀୟ ତ୍ରୈମାସ ଜିଡ଼ିପି ୪.୭%କୁ ଖସିଲା

 

ନୂଆଦିଲ୍ଲୀ,୨୯-୨: ଚଳିତ ଆର୍ଥତ୍କ ବର୍ଷ ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୪.୭%କୁ ହ୍ରାସ ଘଟିଛି। ଏହା ୭ ବର୍ଷର ସର୍ବନିମ୍ନ ସ୍ତର ବୋଲି ଜଣାପଡିଛି। ମାନୁଫାକ୍‌ଚରିଂ କ୍ଷେତ୍ର ଅଭିବୃଦ୍ଧି ମାନ୍ଦା ରହିବାକୁ ଏଭଳି ସ୍ଥିତି ଉପୁଜିଥିବା ସରକାର ଶୁକ୍ରବାର ଜାରି କରିଥିବା ଡାଟାରୁ ଏହା ଜଣାପଡିଛି। ୨୦୧୮-୧୯ ଆର୍ଥତ୍କ ବର୍ଷ ସମାନ ସମୟରେ ଜିଡିପି ବିକାଶ ହାର ୫.୬% ରହିଥିଲା। ସେହିଭଳି ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଅର୍ଥନୈତିକ ଅଭିବୃଦ୍ଧି ୫.୧% ରହିଥିବା ପରିବର୍ତ୍ତିତ ଆକଳନରେ କୁହାଯାଇଛି। ବିକାଶ ହାର ୪.୫% ରହିବା ନେଇ ପୂର୍ବରୁ କୁହାଯାଇଥିଲା। ଏହା ବାଦ ପ୍ରଥମ ତ୍ରୈମାସ ବିକାଶ ହାରକୁ ୫% ପରିବର୍ତ୍ତେ ୫.୬% ଧାର୍ଯ୍ୟ କରାଯାଇଛି। ୨୦୧୨-୧୩ ପରଠାରୁ ଚଳିତ ଆର୍ଥତ୍କ ବର୍ଷ ଡିସେମ୍ବର ତ୍ରୈମାସ ବିକାଶ ହାର ସର୍ବନିମ୍ନ। ୨୦୧୨-୧୩ର ଡିସେମ୍ବର ତ୍ରୈମାସରେ ଜିଡିପି ବିକାଶ ହାର ୪.୩% ରହିଥିଲା।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଡାଟା ମୁତାବକ ମାନୁଫାକଚରିଂ କ୍ଷେତ୍ରର ଗ୍ରସ୍‌ ଭାଲ୍ୟୁ ଆଡେଡ (ଜିଭିଏ) ଅଭିବୃଦ୍ଧି ତୃତୀୟ ତ୍ରୈମାସରେ ୦.୨% ହ୍ରାସ ଘଟିଛି। ଏହା ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ୫.୨% ବୃଦ୍ଧି ଘଟିଥିଲା। ବର୍ତ୍ତମାନ ସମୟରେ କୃଷି କ୍ଷେତ୍ର ଜିଭିଏ ୩.୫% ଅଭିବୃଦ୍ଧି ଘଟିଛି। ଏହା ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ୨ % ରହିଥିଲା। ନିର୍ମାଣ କ୍ଷେତ୍ର ଜିଭିଏ ଅଭିବୃଦ୍ଧି ୬.୬% ରହିଥିବା ବେଳେ ଏହା ୦.୩%କୁ ଖସିଛି। ଗୋଟିଏ ବର୍ଷ ତଳେ ଖଣି କ୍ଷେତ୍ର ଅଭିବୃଦ୍ଧି ୪.୪% ଥିବା ବେଳେ ଏହା ବର୍ତ୍ତମାନ ୩.୨%କୁ ଖସିଛି। ସେହିଭଳି ଇଲେକଟ୍ରିସିଟି, ଗ୍ୟାସ୍‌, ଜଳ ଯୋଗାଣ ଅନ୍ୟ ୟୁଟିଲିଟି ସର୍ଭିସ ବର୍ଗରେ ଅଭିବୃଦ୍ଧି ୯.୫%ରୁ ହ୍ରାସ ଘଟି ୦.୭%କୁ ଖସିଛି। ସେହିଭଳି ବାଣିଜ୍ୟ, ହୋଟେଲ, ପରିବହନ,ଯୋଗାଯୋଗ ଏବଂ ସେବା କ୍ଷେତ୍ର ସହ ଜଡିତ ବ୍ରଡ୍‌କାଷ୍ଟିଂ ଅଭିବୃଦ୍ଧି ୭.୮%ରୁ ୫.୯%କୁ ଖସିଛି।
ଏହି ସମୟରେ ଫାଇନାସିଆଲ,ରିୟଲ ଇଷ୍ଟେଟ ଏବଂ ପ୍ରଫେଶନାଲ ସର୍ଭିସ ଅଭିବୃଦ୍ଧି ୬.୫%ରୁ ୭.୩%କୁ ବଢିଛି। ସେହିଭଳି ପବ୍ଲିକ ଆଡମିନିଷ୍ଟ୍ରେଶନ, ପ୍ରତିରକ୍ଷା ଏବଂ ଅନ୍ୟ ସେବା କ୍ଷେତ୍ରରେ ଅଭିବୃଦ୍ଧି ୮.୧%ରୁ ୯.୭%କୁ ବଢିଛି। ଏପ୍ରିଲ ଡିସେମ୍ବର ଜିଡ଼ିପି ଅଭିବୃଦ୍ଧି ୫.୧କୁ ଖସି ଆସିଛି। ଏହା ଗୋଟିଏ ବର୍ଷ ପୂର୍ବେ ସମାନ ସମୟରେ ୬.୩% ରହିଥିଲା। ୨୦୧୧-୧୨ କନ୍‌ଷ୍ଟାଣ୍ଟ ପ୍ରାଇସରେ ଜିଡିପି ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ୩୬.୬୫ ଲକ୍ଷ କୋଟି ରହିଛି। ଏହା ୨୦୧୮-୧୯ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସ ୩୫.୦୦ ଲକ୍ଷ କୋଟି ରହିଥିଲା। ମୋଟୋମୋଟି ଭାବେ କହିବାକୁ ଗଲେ ଅଭିବୃଦ୍ଧି ୪.୭% ବୋଲି ଏନ୍‌ଏସ୍‌ଓ ସୂଚନା ଦେଇଛି। କରେଣ୍ଟ ପ୍ରାଇସରେ ପରକ୍ୟାପିଟା ବା ମୁଣ୍ଡ ପିଛା ଆୟ ୧.୩୪ ଲକ୍ଷ ଟଙ୍କା ରହିଛି। ଏଥିରେ ୬.୩% ବୃଦ୍ଧି ଘଟିଛି। ଏହା ୨୦୧୮-୧୯ରେ ୧.୨୬ ଲକ୍ଷ ଟଙ୍କା ରହିଥିଲା।
କୋର ସେକ୍ଟରରେ ଅଭିବୃଦ୍ଧି
ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ମୁତାବକ ୮ କୋର୍‌ ସେକ୍ଟର ଅଭିବୃଦ୍ଧି ଜାନୁୟାରୀରେ ୨.୨% ବୃଦ୍ଧି ଘଟିଛି। କୋଇଲା ଉତ୍ପାଦନ, ରିଫାଇନେରି ଏବଂ ଇଲେକଟ୍ରିସିଟି ଉତ୍ପାଦନରେ ଉନ୍ନତି ଯୋଗୁ ଏଭଳି ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଏହି ସମୟରେ ଭିତ୍ତିଭୂମି କ୍ଷେତ୍ର ଅଭିବୃଦ୍ଧି ୧.୫% ରହିଛି। କୋଇଲା, ରିଫାଇନେରୀ ପ୍ରଡକ୍ଟ ଏବଂ ବିଦ୍ୟୁତ ଉତ୍ପାଦନ ଅଭିବୃଦ୍ଧି ଯଥାକ୍ରମେ ୮%, ୧.୯% ଏବଂ ୨.୮% ରହିଛି। ଏହାବାଦ ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ ଏବଂ ସାର କ୍ଷେତ୍ରରେ ଅଭିବୃଦ୍ଧି ନକରାତ୍ମକ ରହିଛି। ଏପ୍ରିଲ ଜାନୁୟାରୀ ସମୟରେ କୋର ଇଣ୍ଡଷ୍ଟ୍ରି ଅଭିବୃଦ୍ଧି ୦.୬% ଅଭିବୃଦ୍ଧି ଘଟିଛି। ଏହା ଗୋଟିଏ ବର୍ଷ ତଳେ ସମାନ ସମୟରେ ୪.୪% ରହିଥିଲର। ଅଗଷ୍ଟ ୨୦୧୯ଠାରୁ ନଭେମ୍ବର ୨୦୧୯ ଯାଏ କୋର ସେକ୍ଟରରେ ରେକର୍ଡ ନକରାତ୍ମକ ଅଭିବୃଦ୍ଧି ରହିଥିଲା।

Share