Categories: ଜାତୀୟ

ତୃତୀୟ ଥର ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ: ସାଢ଼େ ୧୨ ଘଣ୍ଟା ପୂର୍ବରୁ ରଦ୍ଦ ହେଲା ଡେଥ୍‌ ଓ୍ବାରେଣ୍ଟ

ନୂଆଦିଲ୍ଲୀ,୨।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ଫାଶୀଦଣ୍ଡ ପୁଣି ଥରେ ଟଳିଯାଇଛି। ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ୪ ଦୋଷୀ ଆଉ ଫାଶୀଖୁଣ୍ଟରେ ଝୁଲିବେ ନାହିଁ। ନିର୍ଭୟାଙ୍କ ଅନ୍ୟ ଏକ ଦୋଷୀ ପବନ ଗୁପ୍ତାଙ୍କ ଏକ ଆବେଦନ ଉପରେ ସୋମବାର ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଏହି ଶୁଣାଣି କରିଛନ୍ତି। ମାର୍ଚ୍ଚ ୩ରେ ହେବାକୁ ଥିବା ଫାଶୀ ଉପରେ କୋର୍ଟ ରହିତାଦେଶ ଦେଇ ଆଗାମୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଉକ୍ତ ଫାଶୀ ଉପରେ ରୋକୋ ଲଗାଇଛନ୍ତି। କିନ୍ତୁ ଏହା ପୂର୍ବରୁ ଫାଶୀ ଉପରେ ରୋକୋ ଲଗାଇବା ପାଇଁ କୋର୍ଟ ମନା କରିଦେଇଥିଲେ। ସୂଚନାଯୋଗ୍ୟ, ସୋମବାର ପବନ ଗୁପ୍ତାଙ୍କ କ୍ୟୁରେଟିଭ୍‌ ପିଟିଶନ ଓ କ୍ଷମା ଆବେଦନ ଖାରଜ ହୋଇସାରିଛି।

ଅପରପକ୍ଷେ ବାରମ୍ବାର ଫାଶୀଦଣ୍ଡ ଟଳୁଥିବାରୁ ନିର୍ଭୟାଙ୍କ ମା’ ଆଶାଦେବୀ ଅସନ୍ତୋଷ ପ୍ରକାଶ କରିବା ସହ କ୍ରୋଧିତ ହୋଇଛନ୍ତି। ସେ କହିଛନ୍ତି, କୋର୍ଟ ୩ଥର ଡେଥ୍‌ ଓ୍ବାରେଣ୍ଟ ଜାରି କରିଥିଲେ ମଧ୍ୟ ନିଜ ନିଷ୍ପତ୍ତିରେ ଅଟଳ କାହିଁକି ରହିପାରୁ ନାହାନ୍ତି। ଏହା ଆଇନର ବିଫଳତାକୁ ଦର୍ଶାଉଛି ବୋଲି ଆଶାଦେବୀ କହିଛନ୍ତି।

Share