Categories: ଜାତୀୟ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ

ନୂଆଦିଲ୍ଲୀ,୨୨ା୪: ଆସନ୍ତା ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୧୫ ଲୋକ ସଭା ଆସନ ପାଇଁ ମତଦାନ ହେବ। ସେଗୁଡିକ ହେଲା ଆସାମର ୪ଟି ଆସନ, ବିହାରର ୫, ଛତିଶଗଡ଼ର ୭, ଗୁଜରାଟର ୨୬, ଗୋଆର ୨, ଜମ୍ମୁ-କଶ୍ମୀରର ଗୋଟିଏ, କର୍ନାଟକର ୧୪, କେରଳର ୨୦, ମହାରାଷ୍ଟ୍ରର ୧୪, ଓଡିଶାର ୬, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୫, ଦାଦ୍ରା ଓ ନଗର ହାଭେଲିର ଗୋଟିଏ ଏବଂ ଡାମନ ଓ ଡିଉର ଗୋଟିଏ ଆସନ। ଏଥିସହିତ ଓଡିଶାର ୪୨ଟି ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଭାଜପା ଅଧ୍ୟକ୍ଷ ଅମିତ ଶାହ(ଗାନ୍ଧୀନଗର), କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ(ଓ୍ବାୟନାଡ୍‌), ସମାଜବାଦୀ ପାର୍ଟିର ପୃଷ୍ଠପୋଷକ ମୁଲାୟମ ସିଂ ଯାଦବ (ମୈନପୁରୀ), ମଲ୍ଲିକାର୍ଜୁନ ଖାର୍ଗେ(ଗୁଲ୍‌ବର୍ଗା), ସୁପ୍ରିୟା ସୁଲେ, ସୁଜୟ ଭିଖେ ପାଟିଲ।
ତୃତୀୟ ପର୍ଯ୍ୟାୟରେ ଗୁଜରାଟର ସମସ୍ତ ୨୬ ଆସନରେ ମତଦାନ ହେବାକୁ ଥିବାରୁ ରବିବାର ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଟନରେ ର଼୍ୟାଲି ଏବଂ ଅମିତ ଶାହା ଗାନ୍ଧୀନଗରରେ ରୋଡ୍‌ ଶୋ କରିଥିଲେ। ୪ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ମଧ୍ୟ ପ୍ରଚାର ରବିବାର ଶେଷ ହୋଇଛି। ଛତିଶଗଡର ୭ ଆସନ ପାଇଁ ୧୨୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି। ମଙ୍ଗଳବାର ମହାରାଷ୍ଟ୍ରର ୧୪ ଆସନରେ ୨୪୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏହି ପର୍ଯ୍ୟାୟରେ ଗୋଆର ୨ ଲୋକ ସଭା ଆସନରେ ନିର୍ବାଚନ ସାଙ୍ଗକୁ ତିନୋଟି ବିଧାନସଭା ଆସନରେ ଉପନିର୍ବାଚନ ହେବ। ଦୁଇ ଲୋକ ସଭା ଆସନରେ ୧୨ ପ୍ରାର୍ଥୀ ଏବଂ ୩ ବିଧାନସଭା ଆସନ ଲାଗି ୧୮ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ପଶ୍ଚିମବଙ୍ଗର ୫ ଆସନରେ ଟିଏମ୍‌ସି, ଭାଜପା, କଂଗ୍ରେସ ଏବଂ ବାମଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।

Share