ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆଉ ୪ ଦିନ: ଭୋଟରଙ୍କୁ ମନାଇବାକୁ ଜୋରଦାର କସରତ

ଅନୁଗୋଳ ଅଫିସ, ୧୮।୪- ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ତେଣୁ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୪ ଦିନ ସମୟ। ଏହା ଭିତରେ ସେମାନେ ଯେମିତି ହେଉ ଭୋଟରଙ୍କୁ ମନାଇବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ସକାଳୁ ରାତି ଯାଏ ପ୍ରମୁଖ ୩ ଦଳର ପ୍ରାର୍ଥୀମାନେ ଜୋରଦାର କସରତ ଆରମ୍ଭ କରିଦେଇଛନ୍ତି।

ଦୁଇଦିନ ତଳେ ଭାଜପା ତାହାର ଷ୍ଟାର ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆଣି ଅନୁଗୋଳରେ ପ୍ରଚାର କରିଥିଲା। ଏହାଛଡ଼ା ଦଳର ଅନ୍ୟ ଷ୍ଟାର ପ୍ରଚାରକ ତଥା ସିନେ ତାରକାମାନେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରଚାରର ମଙ୍ଗ ଧରିଛନ୍ତି। ସେହିପରି ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁଗୋଳ ଜିଲା ଗସ୍ତରେ ଆସି ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ। ସେ ପାଲଲହଡ଼ା ଓ ଅନୁଗୋଳ ନିର୍ବାଚନମଣ୍ଡଳୀରେ ସଭାମାନ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। କିନ୍ତୁ କଂଗ୍ରେସର ଷ୍ଟାର ପ୍ରଚାରକ ଭାବେ କିଏ ଜିଲାରେ ପ୍ରଚାର କରିବେ ତାହା ଏଯାଏ ଜଣାପଡ଼ି ନାହିଁ। ତେବେ କେବଳ ଷ୍ଟାର ପ୍ରଚାରକଙ୍କ ଉପରେ ନିର୍ଭର ନ କରି ବା ସେମାନଙ୍କୁ ଅପେକ୍ଷା ନ କରି ବିଜେଡି, ଭାଜପା ଓ କଂଗ୍ରେସ ଦଳର ପ୍ରାର୍ଥୀମାନେ ଗଁା ଗଁା ବୁଲି ପ୍ରଚାର ଚଳାଇଛନ୍ତି। ସମୟ ସରି ସରି ଆସୁଥିବାରୁ ସେମାନେ କିପରି ଅଧିକରୁ ଅଧିକ ଭୋଟରଙ୍କୁ ଭେଟି ସମର୍ଥନ ପାଇପାରିବେ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି। ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପ୍ରତିଶ୍ରୁତି ରଖିବା ସହ ବିପକ୍ଷ ଦଳର ପ୍ରାର୍ଥୀଙ୍କ ଦୋଷ ଦୁର୍ବଳତା ବଖାଣୁଛନ୍ତି। ଅନୁଗୋଳର ଭାଜପା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ଅନ୍ୟ ଦଳରୁ ନେତା ଓ କର୍ମୀଙ୍କୁ ଆଣି ଭାଜପାରେ ମିଶ୍ରଣ କରାଇବା କାର୍ଯ୍ୟ ଜାରି ରଖିବା ସହ ବିଭିନ୍ନ ଅଞ୍ଚଳରେ ଜୋରଦାର ପ୍ରଚାର ଚଳାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବିପ୍ଳବ ଜେନା ମଧ୍ୟ ଦୁଆର ଦୁଆର ବୁଲି ଲୋକଙ୍କ ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। ଏପରି କି ୧୫ ବର୍ଷ ଧରି ବିଜେଡି ବିଧାୟକ ଯାହା କରିପାରି ନାହାନ୍ତି ତାଙ୍କୁ ସୁଯୋଗ ମିଳିଲେ ତାହା କରି ଦେଖାଇଦେବେ ବୋଲି କହିବୁଲୁଥିବା ଦେଖାଯାଉଛି। ସେହିପରି ବିଜେଡି ପ୍ରାର୍ଥୀ ରଜନୀକାନ୍ତ ସିଂ କ୍ଷମତାକୁ ଆସିଲେ ଲୋକମାନଙ୍କ ଅସୁବିଧା ସବୁ ଦୂର କରାଯିବ ବୋଲି ପ୍ରତିଶ୍ରୁତିମାନ ଦେଉଛନ୍ତି।

Share