ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପରଠୁ କରୋନା ଆକ୍ରାନ୍ତ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି; ୧୩ ଦିନରେ ଚିହ୍ନଟ ହୋଇଛନ୍ତି ୫୭୪ ନୂଆ ପଜିଟିଭ୍‌

ଭୁବନେଶ୍ୱର,୧୬।୫(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ଆଉ ୬୫ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଲାଣି। ହେଲେ ଏହି ସଂଖ୍ୟାକୁ ଯଦି ଅନୁଧ୍ୟାନ କରାଯାଏ ତେବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ମେ’ ୩ ତାରିଖ(ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ଶେଷ ଦିନ)ରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ ଥିଲା। ଏବେ ଏହା କ୍ରମଶଃ ବୃଦ୍ଧି ପାଇ ୭୩୭ ଛୁଇଁଲାଣି। ଅର୍ଥାତ ୧୩ ଦିନରେ ୫୭୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଶତକଡ଼ା ୩୫୦% ବୃଦ୍ଧି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ନମୂନା ପରୀକ୍ଷା ରିପୋର୍ଟରେ ୪ ତାରିଖରେ ୧୭୦, ୫ ତାରିଖରେ ୧୭୭, ୬ ତାରିଖରେ ୨୦୫, ୭ ତାରିଖରେ ୨୪୫, ୮ ତାରିଖରେ ୨୮୫, ୯ ତାରିଖରେ ୩୫୨, ୧୦ ତାରିଖରେ ୩୯୧, ୧୧ ତାରିଖରେ ୪୩୭, ୧୨ ତାରିଖରେ ୫୩୮, ୧୩ ତାରିଖରେ ୬୧୧, ୧୪ ତାରିଖରେ ୬୭୨, ୧୫ ତାରିଖରେ ୭୩୭ଜଣ ମୋଟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୬୭ଟି ଆକ୍ଟିଭ୍‌ କେସ୍‌ ରହିଛି। ସେହିଭଳି ୧୬୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୪ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷେ ଜିଲାଓ୍ବାରୀ ସମୀକ୍ଷା ଯଦି କରାଯାଏ ତେବେ ଗଞ୍ଜାମରେ ସର୍ବାଧିକ ୨୭୬ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ପରେ ଯାଜପୁରରେ ୧୨୧, ବାଲେଶ୍ୱରରେ ୧୦୨, ଖୋର୍ଦ୍ଧାରେ ୫୬, ଭଦ୍ରକରେ ୪୬, କେନ୍ଦ୍ରାପଡ଼ାରେ ୨୬, ସୁନ୍ଦରଗଡ଼ରେ ୨୬, ପୁରୀରେ ୧୮, ଅନୁଗୋଳରେ ୧୫, ମୟୂରଭଞ୍ଜରେ ୧୧, କଟକରେ ୧୦, ନୟାଗଡ଼ ୬, ଜଗତସିଂହପୁରରେ ୫, ବୌଦ୍ଧ-କେନ୍ଦୁଝରରେ ୪ ଲେଖାଏ, ବଲାଙ୍ଗୀର-ଦେବଗଡ଼-ଝାରସୁଗୁଡ଼ା-କଳାହାଣ୍ଡିରେ ୨ ଲେଖାଏ, କୋରାପୁଟ-ଢେଙ୍କାନାଳରେ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି।

Share