ମହାସ୍ନାନ ପରେ ଶ୍ରୀଜୀଉଙ୍କ ଗଜାନନ ବେଶ

ସଜନାଗଡ଼, ୧୭ା୬(ଡି.ଏନ.ଏ.)-ଓଡ଼ିଶାର ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରିରେ ସୋମବାର ସ୍ନାନପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ସୋମବାର ପୂର୍ବାହ୍ନରେ ମଙ୍ଗଳ ଆଳତୀ ପରେ ଶ୍ରୀଜୀଉଙ୍କୁ ରତ୍ନବେଦୀରୁ ସେବାୟତମାନେ ଧାଡ଼ି ପହଣ୍ଡି କରି ସ୍ନାନମଣ୍ଡପରେ ବିଜେ କରାଇବା ପରେ ଅବକାଶ ନୀତି ବଢ଼ିଥିଲା । ପରେ ଚତୁର୍ଦ୍ଧାମୂର୍ତ୍ତିକୁ ପାରମ୍ପରିକ ରୀତିନୀତି ଅନୁସାରେ କୂଅରୁ ୧୦୮କୁମ୍ଭ ସୁବାଷିତ ଜଳରେ ଶ୍ରୀଅଙ୍ଗକୁ ମହାସ୍ନାନ କରାଯାଇଥିଲା। ସ୍ନାନ ମଧ୍ୟରେ ରୋଷ, ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଅନୁଷ୍ଠିତ ହୋଇଥିଲା। ସ୍ନାନ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା । ଘଣ୍ଟ, ଘଣ୍ଟା, ବାଜା, ମହୁରୀ, ମୃଦଙ୍ଗ ବାଦ୍ୟରେ ନୀଳଗିରି କମ୍ପି ଉଠିଥିଲା । ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାକୁ ନୀଳଗିରିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିଲା। ଏହାପରେ ଦିଅଁମାନଙ୍କୁ ପରମ୍ପରା ଅନୁଯାୟୀ ଅପରାହ୍ନରେ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଏହି ଦିବସକୁ ଜଗନ୍ନାଥଙ୍କ ଜନ୍ମଦିବସ ରୂପେ ମଧ୍ୟ ପାଳନ କରାଯାଇଛି। ଏହି ଅବସରରେ ନୀଳଗିରି ଠାକୁରମାହାଲ ନିର୍ବାହୀ ଅଧିକାରୀ, ପୂଜକ, ସେବାୟତ ସମେତ କର୍ମଚାରୀ ପ୍ରଭୁଙ୍କ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ନୀଳଗିରି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଥିଲେ ଏବଂ ମଧ୍ୟରାତ୍ରିରେ ଶ୍ରୀ ଜୀଉଙ୍କୁ ଅଣସର ଘରକୁ ୧୪ ଦିନ ପାଇଁ ବିଜେ କରାଇଥିଲେ ।